ନୂଆଦିଲ୍ଲୀ: ଆମେରିକାର ସ୍ୱରାଷ୍ଟ୍ର ବିଭାଗ ବିଶ୍ୱର ପ୍ରମୁଖ ରାଜନେତାଙ୍କର କଳଙ୍କିତ ଘଟଣାବଳୀକୁ ତାଜା କରିଛି । ଶୁକ୍ରବାର ଆମେରିକା ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ସାଉଦି ରାଜକୁମାର ମହମ୍ମଦ ବିନ ସଲମାନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକଳାପର ଉଦାହରଣ ଦେଇ ସେମାନଙ୍କୁ ଦିଆଯାଇଥିବା ଆନ୍ତର୍ଜାତିକ ରାଜକ୍ଷମା ପ୍ରଚେଷ୍ଟାର ପର୍ଦ୍ଦାଫାସ କରିଥିଲେ ।
ଲୋକପ୍ରିୟ ସାମ୍ବାଦିକ ଜମାଲ ଖସୋଗିଙ୍କୁ ନିର୍ମମ ହତ୍ୟା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦିଆଗଲା । ସେଗୁଡ଼ିକୁ ଏସିଡ଼ରେ ମିଳାଇ ଦିଆଯିବା ପରେ ଦୂତାବାସରୁ ଅଳିଆ ଆବର୍ଜନା ନିଷ୍କାସନ ପାଇଁ ଉଦ୍ଦିଷ୍ଟ ନଳାରେ ଭସାଇ ଦିଆଯାଇଥିଲା । ଖସୋଗିଙ୍କ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ମହମ୍ମଦ ବିନ ସଲମାନଙ୍କୁ ଅପରାଧ ମୁକ୍ତ ଘୋଷଣା ପାଇଁ ଆନ୍ତର୍ଜାତିକ ସ୍ତରରୁ କୂଟନୈତିକ ରଣକୌଶଳ ପ୍ରୟୋଗ କରାଯାଇଥିଲା ।
ଆମେରିକା ସ୍ୱରାଷ୍ଟ୍ର ବିଭାଗ ମୁଖପାତ୍ର ପଟେଲଙ୍କ ବାଣରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡ଼ିନାହାନ୍ତି । ୨୦୦୨ରେ ଗୁଜରାଟ ସାଂପ୍ରଦାୟିକ ହତ୍ୟାକାଣ୍ଡରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାଦୀୟ ଭୂମିକାକୁ ମନେପକାଇ ପଟେଲ କହିଥିଲେ ଯେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ସାଂପ୍ରଦାୟିକ ଦଙ୍ଗା ଅପନିନ୍ଦାକୁ ଘୋଡ଼ାଇ ଦିଆଯାଇଥିଲା ।
ମୋଦିଙ୍କ ପ୍ରଧାନମନ୍ତ୍ରୀ ଅଭିଯାନର ସଫଳ ରୂପାୟନ ପାଇଁ ଆନ୍ତର୍ଜାତିକ କୂଟନୀତିକୁ ପ୍ରୟୋଗ କରାଯାଇଥିଲା ।
୨୦୦୨ ଗୁଜରାଟ ଦଙ୍ଗା ପାଇଁ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଯୁକ୍ତରାଷ୍ଟ୍ର ଆମେରିକା ତାଙ୍କ ଉପରେ ଭିସା କଟକଣା ଲାଗୁ କରିଥିଲା । ଯୁକ୍ତରାଷ୍ଟ୍ର ଆମେରିକା ସହିତ ବ୍ରିଟେନ୍ ଓ ୟୁରୋପୀୟ ରାଷ୍ଟ୍ରସଂଘ ମଧ୍ୟ ମୋଦିଙ୍କ ଭିସାକୁ ଅକାମୀ ଘୋଷଣା କରିଥିଲେ । ପରେ ବ୍ରିଟେନ ଓ ୟୁରୋପୀୟ ସଂଘ ମୋଦିଙ୍କ ଭିସାକୁ ବୈଧ ଘୋଷଣା କରିଥିଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଆପଣା ଜିଦରେ ଅଟଳ ଥିଲା । ଏବେ ଯୁକ୍ତରାଷ୍ଟ୍ର ଆମେରିକାର ବାଇଡେନ୍ ପ୍ରଶାସନ ନରେନ୍ଦ୍ର ମୋଦିଙ୍କର ଭୂୟସୀ ପ୍ରଶଂସା କରୁଛି ।
ମୋଦି ଓ ସଲମାନଙ୍କ ଭଳି ୧୯୯୩ରେ ହାଇତି ଗଣହତ୍ୟା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ଆରିଷ୍ଟିଡେ, ୨୦୦୧ ଜିମ୍ବାୱେ ଗଣହତ୍ୟା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ମୁଗାବେ, ୨୦୧୮ ଡିଆରସି ଗଣହତ୍ୟା ପାଇଁ ତକ୍ରାଳୀନ ରାଷ୍ଟ୍ରପତି କବିଲାଙ୍କ ସମେତ ବହୁ ଦେଶର ଶାସନ ମୁଖ୍ୟ, ପ୍ରମୁଖ କୂଟନୀତିଜ୍ଞ ଓ ବିଦେଶ ମନ୍ତ୍ରୀଙ୍କୁ ଆନ୍ତର୍ଜାତିକ ଅଭୟ ପ୍ରଦାନ କରାଯାଇଛି । ଆମେରିକା ସ୍ୱରାଷ୍ଟ୍ର ବିଭାଗ ସୂଚନା ମୁତାବକ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ସାଂପ୍ରଦାୟିକ ଦଙ୍ଗା ଅଟକାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନଥିବାର ଅଭିଯୋଗ ଆଣି ଆମେରିକା ପ୍ରଶାସନ ମୋଦିଙ୍କ ଭିସାକୁ ଅକାମୀ ଘୋଷଣା କରିଥିଲେ ଯାହା ୨୦୧୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅକାଟ୍ୟ ଥିଲା ।
ଗୁଜରାଟ ଦଙ୍ଗା ତଦନ୍ତ ରିପୋର୍ଟରେ ଅବଶ୍ୟ ମୋଦିଙ୍କୁ କ୍ଲିନ୍ ଚିଟ୍ ମିଳିଯାଇଛି । ନିକଟ ଅତୀତରେ ମୋଦିଙ୍କ ବିବାଦୀୟ ଭୂମିକାର ପୁନଃତଦନ୍ତ ପାଇଁ ଆଗତ ପିଟିସନକୁ ସୁପ୍ରିମକୋର୍ଟ ବିଚାରଯୋଗ୍ୟ ମଣି ନଥିଲେ । ପ୍ରଧାନମନ୍ତ୍ରୀ ପଦରେ ଥିବାରୁ ଏନ୍ଆଇଏ କି ସୁପ୍ରିମକୋର୍ଟ ଦୃଷ୍ଟିରେ ମୋଦି ଖାଂଟି ସୁନା ହୋଇପାରନ୍ତି । ମାତ୍ର ଭାରତର ୧୩୨ କୋଟି ଲୋକ ଦୃଷ୍ଟିରେ ମୋଦିଙ୍କ ଅପକର୍ମ ଏବେ ମଧ୍ୟ ଜଳଜଳ ହୋଇ ଦେଖାଯାଉଛି ।
୨୦୦୨ରେ ଗୁଜରାଟ ତିନିଦିନ ଧରି ହାଣକାଟ ଚାଲିଥିଲା । ଏକହଜାରରୁ ଅଧିକ ନିରୀହ ଲୋକ ଉକ୍ତ ଦଙ୍ଗାରେ ପ୍ରାଣ ହରାଇଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । କେନ୍ଦ୍ରର ଏନଡିଏ ସରକାର ଗୁଜରାଟର ତକ୍ରାଳୀନ ବିଜେପି ସରକାରଙ୍କ ନର ସଂହାରକୁ ଆଖିବୁଜି ଦେଇଥିଲେ । ଗୁଜରାଟ ଦଙ୍ଗାକୁ କଳଙ୍କମୁକ୍ତ କରିବା ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଆନ୍ତର୍ଜାତିକ ପ୍ଲାଟଫର୍ମରେ ଠିଆ ହୋଇ ବହୁତ ଚେଷ୍ଟା କରିଥିଲେ । ଗୁଜରାଟ ଦଙ୍ଗା ପଛରେ ଗୋଧ୍ରା ଟ୍ରେନପୋଡ଼ିକୁ ଦାୟୀ କରାଯାଉଛି । ଗୋଧ୍ରା ଟ୍ରେନ ପୋଡ଼ିରେ ୫୯ ଜଣ ହିନ୍ଦୁ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ । କିଛି ମୁସଲମାନ ଲୋକ ଏକ ତୀର୍ଥଯାତ୍ରୀଙ୍କ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ।