ଭୁବନେଶ୍ୱର: ‘ଗାଲୁଆମିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଳିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।’ ଆଜି ଏ ପ୍ରକାର କଟାକ୍ଷ କରିଛନ୍ତି ଏନ୍ୟୁବିସି ନେତା ସନାତନ ବେହେରା । ୨୪ ତାରିଖ ଦୈନିକ ‘ସମ୍ବାଦ’ରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ବିବୃତି ପ୍ରକାଶିତ ହୋଇଛି ଯୋଉଥିରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ମାସକୁ ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ଅଶ୍ୱିନୀଙ୍କର ଏହି ମନ୍ତବ୍ୟକୁ କଟାକ୍ଷ କରି ସନାତନ କହିଛନ୍ତି, ମୁଁ ଭାବୁଥିଲି ଏଟା ଭଦ୍ରଲୋକଟା । ହେଲେ ଏଟା ଧର୍ମେନ୍ଦ୍ରଙ୍କୁ ବଳିଗଲା । ମାସକୁ ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିଲେ ଗତ ୮ ବର୍ଷ ଭିତରେ ଅତିକମ୍ରେ ୧୫ କୋଟି ଯୁବକ ଯୁବତୀ ନିଯୁକ୍ତି ପାଇ ସାରିବେଣି । ଚାକିରି ପଛରେ ଦଉଡୁଥିବା ଯୁବକ ଯୁବତୀଙ୍କ ଭିତରୁ ଯଦି ଏତେ ନିଯୁକ୍ତି ପାଇଛନ୍ତି । ତା’ ଭିତରେ ଓଡ଼ିଶାର କେତେ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି, ତା’ର ହିସାବ ଅଶ୍ୱିନୀବାବୁଙ୍କ ପାଖରେ ନିଶ୍ଚିତ ଭାବେ ଥିବ । ତାଙ୍କୁ ଡାକ, ମୋ ମନକୁ ସନ୍ଦେହମୁକ୍ତ କରି ମୋ ମୁହଁରେ କଳା ବୋଳି ଦିଅନ୍ତୁ ।
ଯୁବକ ଯୁବତୀଙ୍କୁ ଚାକିରି ଦେଇପାରୁନି ବୋଲି ବିଚରା ନବୀନଟା ଟଙ୍କାକରେ କିଲେ ଚାଉଳ ଯୋଗାଇ ଯୋଗାଇ ବେରୋଜଗାର ଯୁବକ ଯୁବତୀଙ୍କ ପରିବାରକୁ ବଂଚାଇ ରଖିଛନ୍ତି । ଆଉ ୟେ ଆସିଗଲେ ଲୋକଙ୍କୁ ଦିନରେ ତରା ଦେଖାଇବାକୁ ।
ଗୋଟାଏ ତ ତଡ଼ାଖାଇଛି ଯେ ଆଉ ଓଡ଼ିଶା ମାଟିରେ ଠିଆ ହେବାକୁ ସାହସ ଜୁଟାଇପାରୁନି । ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ଯାଇ ମୋଦୀର ଗୋଡ଼ ମୋଡୁମୋଡୁ ଦିନ ଯାଉଛି । ଇଏ ଆଇଲା ଓଡ଼ିଶାରେ ପଦୁଅଁ ଫୁଟାଇବ । ବେହିପୁଅ ଆଗ ପଦ୍ମପୁରରେ ପଦୁଅଁ ଫୁଟାଅ । ଧାମନଗରଟା ତମ ଇଲାକା ଥିଲା । ବିଜେଡି ହାତରୁ ପଦ୍ମପୁର ଛଡ଼ାଇ ବୀରପଣିଆ ଦେଖାଅ ।
ଏନ୍ୟୁବିସିର କେନ୍ଦ୍ର ମୁଖ୍ୟ କାର୍ଯ୍ୟାଳୟରେ ମହଜୁଦ ରିପୋର୍ଟ ଅନୁସାରେ ବେରୋଜଗାର ଯୁବକ ଯୁବତୀଙ୍କ ସଂଖ୍ୟା ଯାଇ ୫୦ କୋଟି ଟପିଲାଣି । ତା’ ଭିତରୁ ୧୦ ଲକ୍ଷଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଛନ୍ତି, ତା’ର କୌଣସି ନିଶ୍ଚିତତା ନାହିଁ । ମାସକୁ ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ହେଲେ ନିଯୁକ୍ତି ପାଉଛନ୍ତି କେତେ? ତାର ପ୍ରମାଣ ଦେଇପାରିଲେ, ଅଶ୍ୱିନୀଙ୍କର ଟାଣପଣ ରହିବ ।