ବଲିଉଡ୍‌ରେ ସଫଳ ହୋଇପାରି ନାହାନ୍ତି ୟାମି, ଜାରି ରଖିଛନ୍ତି ଚେଷ୍ଟା

ଜୀବନ ଗୋଲାପର ଶଯ୍ୟା ନୁହେଁ କି ସମ୍ପୂର୍ଣ୍ଣ କଣ୍ଟକିତ ବି  ନୁହେଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲିଉଡ୍‌  ବିଉଟି ୟାମି ଗୌତମ । ଦୀର୍ଘ ୧୦ ବର୍ଷର ଅଭିନୟ ଯାତ୍ରାରେ  ସେ ଉଭୟ ଭଲ ଓ ଖରାପ ସମୟ ଦେଇ ଗତି କରିଛନ୍ତି ।  ଏକାଧିକ ଶୋ’ ମାଧ୍ୟମରେ ଅଭିନୟ କ୍ୟାରିଅର୍‌ ଆରମ୍ଭ  କରିଥିବା ୟାମି ୨୦୧୨ ମସିହାରେ ଫିଲ୍ମ ‘ଭିକି ଡୋନର୍‌’ ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ସେବେଠାରୁ ବିଭିନ୍ନ  ସମସ୍ୟା ସତ୍ତେ୍ୱ ଆଗକୁ ବଢ଼ିଚାଲିଛନ୍ତି । ‘ବଦ୍‌ଲାପୁର’, ‘କାବିଲ’, ‘ଉରି: ଦ ସର୍ଜିକାଲ୍‌  ଷ୍ଟ୍ରାଇକ୍‌’, ‘ବାଲା’ ଓ ‘ଥର୍ସଡେ’ ଭଳି ଫିଲ୍ମର ସଫଳତା ତାଙ୍କୁ ବେଶ ଲୋକପ୍ରିୟ କରିଛ।

‘ଟୋଟାଲ୍‌ ସିୟାପା’, ‘ସନମ୍‌  ରେ’, ‘ଜୁନୁନିୟତ୍‌’, ‘ବତ୍‌ତି ଗୁଲ୍‌  ମିଟର ଚାଲୁ’ ଓ ‘ଗିନ୍ନି ୱେଡ୍‌ସ ସନ୍ନି’  ଭଳି ଫିଲ୍ମ ଜରିଆରେ ଦର୍ଶକଙ୍କ ମନ  ଜିଣିବାରେ ସେ ସଫଳ ହୋଇପାରି ନାହାନ୍ତି । ତଥାପି ଅତୀତ ଭିତରକୁ  ଉଙ୍କିମାରି ସେ ହସିଛନ୍ତି ଆଉ କହିଛନ୍ତି  ‘ମୋ ଯାତ୍ରା ଏବେ ବି ଜାରି ଅଛି । ମୁଁ  ଅନେକ ଭଲ ଓ ଖରାପ ସମୟର  ସମ୍ମୁଖୀନ ହୋଇଛି । କିନ୍ତୁ ଏ ସବୁ  ମୂଲ୍ୟବାନ ବୋଲି ଶେଷରେ ଅନୁଭବ  କରିଛି ।’ ପ୍ରଥମ ଫିଲ୍ମର ସଫଳତା  ପରେ କେଉଁ ମାର୍ଗ ଚୟନ କରିବେ ୟାମି ଜାଣିପାରି ନଥିଲେ । ମିଳୁଥିବା ସୁଯୋଗକୁ  ଗ୍ରହଣ କରିବେ ଅବା କାମ କରିବେ  ନାହିଁ ।

ଏହି ଦ୍ୱନ୍ଦ୍ୱରେ ସେ ନିଜକୁ ହଜାଇ  ଦେଲେ । ତଥାପି ସେ ଚେଷ୍ଟା ଜାରି ରଖିଲେ ।  ନିଜ ଅନ୍ତଃସ୍ୱରକୁ ଚିହ୍ନିବା ଓ ତା’ରି ମାର୍ଗଦର୍ଶନରେ  କାମ କରିବାକୁ ତାଙ୍କୁ କିଛି ସମୟ ଲାଗିଗଲା ।  ଏଠାକୁ ଆସିବାର ଉଦ୍ଦେଶ୍ୟ ବୁଝିବା ପାଇଁ ନିଜକୁ  ପୁନଃଆବିଷ୍କାର କରିବାକୁ ପଡ଼ିଲା ବୋଲି ୟାମି  କହିଛନ୍ତି ।  ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ  ଅଛି ଥ୍ରିଲର୍‌ ଫିଲ୍ମ ‘ଲଷ୍ଟ୍‌’ । ୫୩ତମ  ଇଣ୍ଟର୍‌ନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌  ଇଣ୍ଡିଆରେ ଏହା ପ୍ରଦର୍ଶିତ ହୋଇଥିଲା ।