ଚିଡ଼ିଆଖାନା ଟ୍ରେନ୍‌ ତଳେ ମହିଳାଙ୍କ ମୃତ୍ୟୁ

ପତ୍ନୀ ଅଂଜୁ ଟ୍ରେନ ଭିତରକୁ ଯିବା ପୂର୍ବରୁ ଚାଳକ ଟ୍ରେନ ଚଳାଇ ଦେଲେ….

କାନପୁର: ହସଖୁସି ଭରା ପରିବାର ଯାଇଥିଲେ ଚିଡିଆଖାନା ବୁଲି । ମାତ୍ର କିଏ ଜାଣିଥିଲା? କାନ୍ଦିକାନ୍ଦି ଘରକୁ ଫେରିବେ ବୋଲି । କାନପୁର ଚିଡିଆଖାନାରେ ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ମହିଳା । ମୃତ ମହିଳାଙ୍କ ଦୁଇଟି ସନ୍ତାନ ଛାତିରେ ହାତ ପିଟି କାନ୍ଦୁଥିଲେ । କାନ୍ଦି କାନ୍ଦି କହୁଥିଲେ, ମା’ ତୁ ଚାଲିଗଲୁ । ଆମେ କାହାକୁ ନେଇ ଘରକୁ ଯିବୁ । କିଏ ଆମକୁ କୋଳେଇ ନେବ ।

ଘଟଣାଟି ଏମିତି, କାନୁପର ନିକଟ ଚକେରୀ ନିବାସୀ ସୁଭାଷ ଶର୍ମା ସାଙ୍ଗରେ ପତ୍ନୀ ଅଂଜୁ ଓ ଦୁଇଟି ପିଲାଙ୍କୁ ଧରି କାନପୁର ଚିଡିଆଖାନା ବୁଲିବାକୁ ଯାଇଥିଲେ । ଚିଡିଆଖାନା ଟ୍ରେନରେ ବୁଲିବା ଆଶା ନେଇ ଟିକେଟ୍‌ କାଟିଲେ । ଯଥା ସମୟରେ ଟ୍ରେନ ଆସି ଠିଆହେଲା । ବାପା ଆଗ ଟ୍ରେନ ଭିତରକୁ ଯାଇ ପିଲା ଦୁଇଟିକୁ ଟାଣିନେଲେ । ପତ୍ନୀ ଅଂଜୁ ଟ୍ରେନ ଭିତରକୁ ଯିବା ପୂର୍ବରୁ ଚାଳକ ଟ୍ରେନ ଚଳାଇ ଦେଲେ । ଦେଖୁ ଦେଖୁ ଅଂଜୁଙ୍କ ଗୋଡ଼ ଖସିଗଲା । ସେ ଟ୍ରେନ ଲାଇନକୁ ଖସିପଡ଼ିଲେ, ସଙ୍ଗେସଙ୍ଗେ ଟ୍ରେନ ତଳେ ଚାପି ହୋଇଗଲେ ।

ହୋ ହଲ୍ଲା ପଡ଼ିଗଲା । ଟ୍ରେନ ଅଟକିଲା । ଟ୍ରେନ ତଳୁ ମରଣାନ୍ତକ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ଅଂଜୁଙ୍କୁ ହସ୍ପିଟାଲ ନେଇଗଲେ । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଝିଅ ଅଦିତି କହିଲା, ମା’ ଟ୍ରେନରୁ ଖସିପଡ଼ିଲେ । ମୁଁ ଯେତେ ପାଟି କରି ଟ୍ରେନ ଅଟକାଇବାକୁ କହିଲି, ଚାଳକ ମୋ କଥା ଶୁଣିଲେନି । ଆଖି ଆଗରେ ମା’ଙ୍କ ଉପରେ ଟ୍ରେନ ଚକା ଚଢ଼ିଗଲା ।