ଭୋପାଳ: ଆଜି ମଧ୍ୟପ୍ରଦେଶ ସରକାର ସମାନ ଆଚରଣ ସଂହିତା ଲାଗୁ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ଘୋଷଣା କରିଛନ୍ତି । ସେ କହିଛନ୍ତି, ଗୋଟିଏ ଦେଶରେ ଦୁଇଟି ଆଇନ କାମ କରିବା ଅନୁଚିତ । ଦୁଇଟି ଆଇନ କାମ କରୁଥିବାରୁ ସମାଜରେ ମହାଖେଳ ଚାଲିଛି । ଜମିଟିଏ କିଣିବାର କ୍ଷମତା ନାହିଁ ତ ଲୋକମାନେ ନିରୀହ ଆଦିବାସୀ କନ୍ୟାଙ୍କୁ ବିବାହ କରି ଜମି ମାଡ଼ି ବସୁଛନ୍ତି ।
ଆଦିବାସୀ ଲୋକଙ୍କ ନାମରେ ଜମି କିଣା ଚାଲିଛି । ଏବେ ଦେଶରେ ସମାନ ଆଚରଣ ସଂହିତା ଲାଗୁ କରିବାର ସମୟ ଆସିଛି । ଗୋଟିଏ ଲୋକ ଦୁଇ ଦୁଇଟି ବିବାହ କରି ଘରସଂସାର କରୁଛନ୍ତି । ଜଣେ ଲୋକ କେବଳ ଥରୁଟିଏ ବିବାହ କରିବା ଦରକାର । ମଧ୍ୟପ୍ରଦେଶ ସରକାର ଗୋଟିଏ କମିଟି ଗଠନ କରି ସମାନ ଆଚରଣ ସଂହିତା ଲାଗୁ କରିବାର ବାଟ ତିଆରି କରିବ । ସମାନ ଆଚରଣ ସଂହିତାରେ ଏକ ପତ୍ନୀ ଗ୍ରହଣ କରିବାର ନିୟମ ରହିଛି ।
ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ଆଚରଣ ବିଧି କହିଲେ ସମସ୍ତଙ୍କୁ ଗୋଟିଏ ଆଇନ ମାନିବାକୁ ପଡ଼ିବ । ଭାରତରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ଗୋଟିଏ ଆଇନ ମାନି ଚଳିବା ପ୍ରକ୍ରିୟାକୁ ବିଜେପି ଦୃଢ଼ ସମର୍ଥନ କରୁଛି । ତେବେ ଏହି ଆଇନ ରାଜ୍ୟ ସରକାରଙ୍କ ମର୍ଜି ଉପରେ ଛାଡ଼ି ଦିଆଯାଇଛି । ଯେଉଁ ରାଜ୍ୟ ସମାନ ଆଚରଣ ବିଧି ଲାଗୁ କରିବେ, ସେଠାରେ ବିବାହ, ଛାଡ଼ପତ୍ର, ଜମିବାଡ଼ି ଭାଗବଂଟରା ଓ ଧର୍ମ କ୍ଷେତ୍ରରେ ଗୋଟିଏ ଆଇନ ଲାଗୁ କରାଯିବ । ଗୁଜରାଟ ଓ ଉତରାଖଣ୍ଡ ସରକାର ସମାନ ଆଚରଣ ବିଧି ଲାଗୁ କରିସାରିଛନ୍ତି ।