ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା ୨୦୨୨ ସରିବା ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆତ୍ମସନ୍ତୋଷର ହସ ହସିଲେ ଯାହା ବିଜେପି ଓ କଂଗ୍ରେସ ହଜମ କରିପାରିଲେନି । ଆରମ୍ଭ କରିଦେଲେ ସମାଲୋଚନାର ବର୍ଷା । ମେକ୍ ଇନ୍ ଓଡ଼ିଶା-୨୦୨୨ ସଂସ୍କରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦.୫୦ ଲକ୍ଷ କୋଟିର ଶିଳ୍ପ ପ୍ରସ୍ତାବ ପାଇଛନ୍ତି । କୋଉ କମ୍ପାନୀ ବା ଶିଳ୍ପପତି କେତେ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି, ତାର ଗୋଟିଏ ତାଲିକା ପ୍ରକାଶ କରି ନବୀନବାବୁ ରାଜ୍ୟବାସୀଙ୍କ ମନ କିଣନ୍ତୁ ଯାହା ଫଳରେ ବିରୋଧୀ ଦଳ ଗାଲରେ ଶକ୍ତ ଚାପୁଡ଼ା ବାଜିବ ।
ଆସନ୍ତା ୧୫ ଦିନ ଭିତରେ ପ୍ରସ୍ତାବ ଦେଇଥିବା ଶିଳ୍ପପତି ବା ଶିଳ୍ପସଂସ୍ଥା ସହ ବୁଝାମଣା କରି ପ୍ରସ୍ତାବର କାର୍ଯ୍ୟାନ୍ୱୟନକୁ ଦୃଢ଼ କରନ୍ତୁ ଯାହା ୨୦୨୪ ନିର୍ବାଚନର ବିଜୟକୁ ସୁନିଶ୍ଚିତ କରିବ ଓ ବିରୋଧୀଙ୍କ ଗାଲୁଆମିକୁ କଡ଼ା ଜବାବ ମିଳିବ । ଶିଳ୍ପସଂସ୍ଥା ସହ ବୁଝାମଣାର ଗୋଟିଏ ସ୍ପଷ୍ଟ ଚିତ୍ର ରାଜ୍ୟବାସୀଙ୍କ ଦୃଷ୍ଟିକୁ ଆସିବା ଦରକାର ଯାହା ବିରୋଧୀ ନେତାମାନଙ୍କର ଦାନ୍ତ ଝଡ଼ିବାରେ ସାହାଯ୍ୟ କରିବ । ରାଜ୍ୟର ବିରୋଧୀ ଦଳଗୁଡ଼ିକ ସକାରାତ୍ମକ ଚିନ୍ତାରେ କାମ କରିବା ଦରକାର ।
ରାଜ୍ୟର ବିକାଶ ଧାରାରେ ବିରୋଧୀ ଦଳଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଦରକାର । ରାଜ୍ୟର ସାଢେ଼ ଚାରିକୋଟି ଲୋକଙ୍କ ଝାଳବୁହା ଧନରୁ ୧୪୭ ଜଣ ବିଧାୟକ ଦରମା ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ମାତ୍ର କେବଳ ଶାସକ ଦଳର ବିଧାୟକମାନେ କ’ଣ ପାଇଁ ସକାରାତ୍ମକ ମନୋଭାବ ରଖି କାମ କରିବେ । ବିରୋଧୀ ଦଳ କ’ଣ ପାଇଁ କଥା କଥାକେ ସରକାରଙ୍କୁ ସମାଲୋଚନା କରିବେ?
ନିକଟ ଅତୀତରେ ରାଜ୍ୟ ସରକାର ବିଧାୟକମାନଙ୍କର ଦରମା ଓ ଅନ୍ୟାନ୍ୟ ଭତା ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି । ଏହାର ଫାଇଦା ବିରୋଧୀ ବିଧାୟକମାନଙ୍କୁ ମିଳିବ, ତଥାପି ସେମାନେ ସରକାରଙ୍କ ବିକାଶ ଧାରାକୁ ଭଣ୍ଡୁର କରିବା ପାଇଁ ସତତ ଚେଷ୍ଟିତ । ରାଜ୍ୟରେ ଏପରି ବିରୋଧୀ ରହିବା ଅନୁଚିତ । ସୁସ୍ଥ ଗଣତନ୍ତ୍ର ପାଇଁ ସଶକ୍ତ ବିରୋଧୀ ରହିବା ଦରକାର । ମାତ୍ର ଆମ ରାଜ୍ୟର ଗରିବ ଭୋଟର ବଡ଼ ଦୟାଳୁ, ଯାହା ମୁଣ୍ଡରେ ଜୁଟିଥିବ, ସେଇଆ ।
ବିଜୁବାବୁଙ୍କ ପୁଅ ନବୀନବାବୁଙ୍କ ‘ଢୋକେ ପିଅ ଦଣ୍ଡେ ଜିଅଁ’ ନୀତିକୁ ଏପରି ଭାବେ ଜାବୁଡ଼ି ଧରିଛନ୍ତି ଯେ ଆଉ କାହାକୁ ଯୋଗ୍ୟ ମଣିବାକୁ ନାରାଜ । ‘ନବୀନବାବୁ କ୍ଷମତାରେ ଅଛନ୍ତି ବୋଲି ଗରିବଙ୍କୁ କିଲୋ ପିଛା ଟଙ୍କାକରେ ଚାଉଳ ମିଳୁଛି । ସେ ଚାଲିଗଲେ, ଆଉ ଯିଏ ମୁଖ୍ୟମନ୍ତ୍ରୀ ହେବ, ସେ କିଲୋ ଟଙ୍କାକରେ ଚାଉଳ ଦେଇପାରିବନି ।’ ଏ ପ୍ରକାର ଏକ ଭ୍ରାନ୍ତ ଧାରଣା ଗରିବ ଭୋଟରଙ୍କ ମୁଣ୍ଡରେ ପଶିଯାଇଛି ଯାହା ବାହାର କରିବା ପାଇଁ ବିରୋଧୀ ଦଳ ବିଫଳ । କିଏ ଜାଣେ ଆଉ ଯିଏ କ୍ଷମତାକୁ ଆସିବ ସିଏ ଗରିବଙ୍କ କଥା ବୁଝିପାରିବ କି ନାହିଁ ।
ନବୀନବାବୁଙ୍କ ଖଣ୍ଡି ଓଡ଼ିଆ ସହିତ ରାଜ୍ୟର ଗରିବ ଭୋଟର ଏକପ୍ରକାର ଅଭ୍ୟାସରେ ପଡ଼ିଗଲାଣି । ତାଙ୍କ ଖଣ୍ଡି ଓଡ଼ିଆ ସହିତ ଅନ୍ୟମାନଙ୍କର ସହଜ ଓଡ଼ିଆ ଭାଷଣ ପାସଙ୍ଗରେ ପଡ଼ିବନି । ବିଜୁବାବୁଙ୍କ ରକ୍ତ ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣି ଓ ପବନକୁ ବିଦେଶୀ ଓ ଦେଶୀ ଶାଗୁଣାଙ୍କ ହାତରେ ଧରାଇ ରାଜ୍ୟବାସୀଙ୍କୁ ଗୋଲାମ କରିବାର ସ୍ଥାୟୀ ପଟ୍ଟା ପାଇଛନ୍ତି । ସେ ହିଁ ଏକମାତ୍ର ହରତା କରତା ଦଇବ ବିଧାତା । ଯାହାର ଇଛାରେ ଓଡ଼ିଶାର ଜମି, ଜଳ, ଜଙ୍ଗଲ, ଖଣି ଉଠିଆ ହେଉଛନ୍ତି, ସେଭଳି ନେତାଙ୍କୁ ଭୋଟ ନଦେଲେ, ପ୍ରଭୁ ଜଗନ୍ନାଥ କୋପ ଦୃଷ୍ଟି ପକାଇବେ ।