ଗୁଜରାଟରେ ଭୋଟ ଦେଲେନି ମୁସଲିମ ଭୋଟର

ବିଜେପି ପ୍ରତି ମୁସଲିମ ଭୋଟରଙ୍କ ମନରେ ଭରସା ଓ ବିଶ୍ୱାସ ନାହିଁ…

ଗାନ୍ଧୀନଗର: ଗୁଜରାଟର ଖେଡ଼ା ଜିଲ୍ଲା ଅନ୍ତର୍ଗତ ଉନ୍ଧେଲା ଗାଁର ମୁସଲିମ ଭୋଟରମାନେ ସମୂହ ଭୋଟ ବର୍ଜନ କରିଛନ୍ତି । ଗୁଜରାଟର କେତୋଟି ବୁଥକେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ମାତ୍ର ଉନ୍ଧେଲା ଗ୍ରାମରେ ମତଦାନ ପ୍ରକ୍ରିୟା ମାତ୍ର ଅଧଘଂଟା ଭିତରେ ଶେଷ ହୋଇଛି । ତା’ମାନେ କ’ଣ ଗ୍ରାମର ଭୋଟର ସଂଖ୍ୟା ଏତେ କମ୍‌ ଯେ ଅଧଘଂଟା ଭିତରେ ମତଦାନ ସରିଗଲା । ନା, ଗ୍ରାମର ମୁସଲିମ ଭୋଟରମାନେ ଭୋଟଦାନ କରିନାହାନ୍ତି ।

ଗତ ନବରାତ୍ରି ପାଳନ ସମୟରେ ଗ୍ରାମର କିଛି ମୁସଲିମ ଭୋଟରଙ୍କୁ ଗୋଟିଏ ବିଜୁଳି ଖୁଂଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା ପୁଲିସ । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୁଲିସ ମୁସଲିମ ଲୋକଙ୍କୁ ଗାଁ ଦାଣ୍ଡରେ ପିଟିବା ଓ ଗୁଜରାଟର ବିଜେପି ସରକାର ଅଭିଯୁକ୍ତ ପୁଲିସଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବାରୁ ସମୂହ ଭୋଟ ବର୍ଜନ ନିଷ୍ପତି ନିଆଯାଇଥିଲା । କିଛି ପୁଲିସ କର୍ମଚାରୀ ସାଧା ପୋଷାକ ପିନ୍ଧି ନିରୀହ ଲୋକଙ୍କୁ ପିଟୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା ।

ଆଜିର ମତଦାନକୁ ବର୍ଜନ କରି ମୁସଲିମ ଭୋଟରମାନେ ଜଣାଇ ଦେଇଛନ୍ତି ଯେ ସାରାଦେଶକୁ ଭାଇଚାରା ବନ୍ଧନରେ ବାନ୍ଧିବାର ପ୍ରତିଶ୍ରୁତିବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଟାମାଟି ଗୁଜରାଟରେ ସାଂପ୍ରଦାୟିକତାର ବିଷାକ୍ତ ପରିବେଶ ଭରି ରହିଛି । କେନ୍ଦ୍ରର ବିଜେପି ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିପାରିଲା, ମାତ୍ର ଲୋକଙ୍କ ହୃଦୟରେ ପ୍ରଭୁ ରାମଚନ୍ଦ୍ରଙ୍କୁ ବସାଇ ପାରିଲାନି । ବିଜେପି ପ୍ରତି ମୁସଲିମ ଭୋଟରଙ୍କ ମନରେ ଭରସା ଓ ବିଶ୍ୱାସ ନାହିଁ । ବିଜେପିର ମୁସଲିମ ମୁହଁ ଆଉ ମୁସଲିମ ଭୋଟରଙ୍କ ଉପରେ ପ୍ରଭାବ ବିସ୍ତାର କରିପାରୁନି ।