ଚଣ୍ଡିଗଡ଼: ପାକିସ୍ତାନର ଲାହୋରରେ ଗୋଟିଏ ଗୁରୁଦ୍ୱାରକୁ ମସଜିଦ କହି ମୁସଲିମ ସଂପ୍ରଦାୟର କିଛି ଯୁବକ ମୁଖ୍ୟଦ୍ୱାରରେ ତାଲା ପକାଇ ଦେଇଛନ୍ତି । ଫଳରେ ସଂପୃକ୍ତ ଅଂଚଳରେ ଆଇନ ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଉପୁଜିଛି । ସୂଚନା ମୁତାବକ ଇଟିପିବି ଓ କିଛି ମୌଳବାଦୀ ମୁସଲିମ ଏକଜୁଟ ହୋଇ ଗୁରୁଦ୍ୱାର ଶହିଦ ଗଂଜ ଭାଇ ତାରୁ ସିଂହରେ ତାଲା ଝୁଲାଇ ଦେଇଛନ୍ତି । ଫଳରେ ଶିଖ ଶ୍ରଦ୍ଧାଳୁମାନେ ଗୁରୁଦ୍ୱାର ଭିତରକୁ ଯାଇ ପୂଜାର୍ଚ୍ଚନା କରି ପାରୁନାହାନ୍ତି ।
ଏହି ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ଅଂଚଳରେ ବସବାସ କରୁଥିବା ଶିଖ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି । ପାକିସ୍ତାନରେ ଗୁରୁଦ୍ୱାରକୁ ମସଜିଦ ଦାବି କରିବା ଘଟଣା ପ୍ରଥମ ନୁହେଁ । ଆଜକୁ ଦୁଇବର୍ଷ ତଳେ ଏକ ଐତିହାସିକ ଗୁରୁଦ୍ୱାରକୁ ମସଜିଦ ଦାବି କରାଯିବାରୁ ଭାରତ ଓ ପାକିସ୍ତାନ କୂଟନୈତିକ ସଂପର୍କ ବାଧାପ୍ରାପ୍ତ ହୋଇଥିଲା । ସେତେବେଳେ ଭାରତ କଡ଼ା ଭାଷାରେ କହିଥିଲା ଯେ ଗୁରୁଦ୍ୱାର ଭଳି ପବିତ୍ର ସ୍ଥାନରେ କୌଣସି ପ୍ରକାର ବିବାଦ ଆଦୌ ଗ୍ରହଣୀୟ ନୁହେଁ ।
ପାକିସ୍ତାନ ଖବରକାଗଜ ‘ଦି ଡନ୍’ ମୁତାବକ, ଲାହୋର ଗୁରୁଦ୍ୱାରକୁ କେନ୍ଦ୍ର କରି ବେଶ କିଛିଦିନ ଧରି ବିବାଦ ଚାଲିଛି । ଉକ୍ତ ଗୁରୁଦ୍ୱାରରେ ପବିତ୍ର ଶିଖ ଧର୍ମଗ୍ରନ୍ଥ ପୂଜା ପାଇ ଆସୁଥିଲେ । ମାତ୍ର ଏବେ ସେଠାରେ ବିବାଦୀୟ ପରିସ୍ଥିତି କାରଣରୁ ପୂଜାର୍ଚ୍ଚନା ବାଧା ପାଇଛି ।