ମୋର ଚାରିଟି ପିଲା ପାଇଁ କଂଗ୍ରେସ ଦାୟୀ: ସାଂସଦ ରବି କିଷନ

ଜନସଂଖ୍ୟା ନିୟନ୍ତ୍ରଣ ବିଲକୁ ସମର୍ଥନ କରି ଗିରିରାଜ କହିଛନ୍ତି….

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ବୃଦ୍ଧିକୁ କେନ୍ଦ୍ର କରି ଶୁକ୍ରବାର ସଂସଦରେ ବିତର୍କ ଚାଲିଥିଲା । ଉକ୍ତ ବିତର୍କରେ ଭାଗ ନେଇ ଗୋରଖପୁର ସାଂସଦ ରବି କିଷନ କଂଗ୍ରେସକୁ ଦାୟୀ କରିଛନ୍ତି । ଅଭିନୟରୁ ରାଜନୀତିକୁ ପ୍ରବେଶ କରିଥିବା ରବି କିଷନ କହିଥିଲେ, ଯଦି କଂଗ୍ରେସ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିଥାନ୍ତା, ତା’ହେଲେ ମୋର ଚାରିଟି ପିଲା ହୋଇ ନଥାନ୍ତେ । ଏବେ ଚାରୋଟି ପିଲାଙ୍କ କଥା ଭାବୁଛି ତ ଲଜ୍ଜାବୋଧ କରୁଛି ।

କଂଗ୍ରେସ କ୍ଷମତାରେ ଥିଲାବେଳେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କଲାନି । ଆମେ ସେତେବେଳେ ଛୋଟ ଥିଲୁ । ଖେଳକୁଦ ଭିତରେ ଆମେ ସବୁବେଳେ ବୁଡ଼ି ରହୁଥିଲୁ । ସବୁଠାରୁ କୌତୁହଳ ବିଷୟ ହେଉଛି, ଶୁକ୍ରବାର ଖୋଦ୍‌ ରବି କିଷନ ଲୋକସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ବିଲ ଆଗତ କରିଥିଲେ । ଏକ ଘରୋଇ ଚାନେଲ ଆଲୋଚନାରେ ଭାଗ ନେଇ ରବି କିଷନ କହିଥିଲେ, ସେ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିବାର ୧୫ ବର୍ଷ ପର୍ଯ୍ୟନ୍ତ ରୀତିମତ ପାରିଶ୍ରମିକ ପାଇ ନଥିଲେ ।

ଚଳଚ୍ଚିତ୍ର ଦୁନିଆରେ ଭାଗ୍ୟ ପରୀକ୍ଷା କରୁଥିଲା ବେଳେ ତୃତୀୟ ଓ ଚତୁର୍ଥ କନ୍ୟା ଜନ୍ମ ହୋଇଥିଲେ । ଆଜି ସେଦିନର କଥା ଭାବିଲା ବେଳକୁ ବଡ଼ ଦୁଃଖ ଲାଗୁଛି । ଜନସଂଖ୍ୟା ନିୟନ୍ତ୍ରଣ ବିଲକୁ ସମର୍ଥନ କରି ଗିରିରାଜ କହିଛନ୍ତି, ସରକାର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରନ୍ତୁ । ଯେଉଁ ଲୋକ ଉକ୍ତ ଆଇନ ମାନିବ ନାହିଁ ତାଙ୍କଠାରୁ ଭୋଟ ଦେବାର ଅଧିକାର ଛଡ଼ାଇ ନିଆଯାଉ ।