ଭାରତ-ବାଂଲା ତୃତୀୟ ଦିନିକିଆ

ଈଶାନଙ୍କ ନିକଟରୁ ହାରିଲା ବାଂଲା….

ନୂଆଦିଲ୍ଲୀ: କ୍ରମାଗତ ଦୁଇଟି ଦିନିକିଆ ହାରିବା ପରେ ତୃତୀୟ ଦିନିକିଆକୁ ଟିମ୍‌ ଇଣ୍ଡିଆ ୨୨୭ ରନ୍‌ ବ୍ୟବଧାନରେ ପରାସ୍ତ କରିଛି । ଫଳରେ ଭାରତ ଶୋଚନୀୟ ପରାସ୍ତ ଅପନିନ୍ଦାରୁ ରକ୍ଷା ପାଇଛି । ପୂର୍ବରୁ ଭାରତ କେବେ ବାଂଲା ବିପକ୍ଷରେ ଏତେ ରନ୍‌ ବ୍ୟବଧାନରେ ଜିତାପଟ ହାସଲ କରି ନଥିଲା । ୨୦୦୩ରେ ଭାରତ ବାଂଲାକୁ ତାରି ମାଟିରେ ୨୦୦ ରନ୍‌ ବ୍ୟବଧାନରେ ଧୂଳି ଚଟାଇଥିଲା । ଆଜି ଟସ୍‌ ଜିତି ବାଂଲା ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲା ।

ଭାରତ ଈଶାନ୍‌ କିଶନଙ୍କ ୨୧୦ ଓ ବିରାଟ କୋହଲିଙ୍କର ୧୧୩ ରନ୍‌ ବଳରେ ୫୦ ଓଭରରେ ୮ ୱିକେଟ୍‌ ହରାଇ ୪୦୯ ରନ୍‌ କରିଥିଲା । ଜବାବରେ ବାଂଲା ଟିମ୍‌ ୩୪ ଓଭରରେ ୧୮୨ ରନ୍‌ କରି ପାରିଥିଲା । ବାଂଲା କ୍ରିକେଟିୟର ସାକିବ ଅଲ ହସନ୍‌ ସର୍ବାଧିକ ୪୩ ରନ୍‌ କରିଥିଲେ ।

ଭାରତର ବୋଲର ଶାର୍ଦ୍ଦୁଳ ଠାକୁର ସର୍ବାଧିକ ତିନୋଟି ୱିକେଟ୍‌ ଅକ୍ତିଆର କରିଥିଲେ । ବାଂଲାର ସବୁ ଖେଳାଳି ମିଶି ଏକା ଈଶାନଙ୍କ ବ୍ୟକ୍ତିଗତ ରନ୍‌କୁ ଅତିକ୍ରମ କରିପାରିଲାନି । ବାଂଲା ୨-୧ ବ୍ୟବଧାନରେ ସିରିଜ ବିଜୟୀ ହୋଇଛି । ମାତ୍ର ଆଜିର ପରାଜୟକୁ ବାଂଲାଦେଶ ସବୁଦିନ ପାଇଁ ମନେରଖିବ ।