ଡୋକଲାମରେ ଜନବସତି ସ୍ଥାପନ କରିଛି ଚୀନ

ନୂଆଦିଲ୍ଲୀ: ଚୀନର ପୁରୁଣା ରୋଗ ଭଲ ହେବାର ନାଁ ଧରୁନି । ଭାରତର ଅରୁଣାଚଳ ପ୍ରଦେଶ ସୀମାନ୍ତକୁ ଲାଗି ବେଆଇନ ବସତି ନିର୍ମାଣ କରୁଛି । ସେତୁ ନିର୍ମାଣ କରୁଛି । ତୱାଙ୍ଗ ଅଂଚଳରେ ସଂଘଟିତ ଭାରତ-ଚୀନସେନା ବିବାଦ ଥଣ୍ଡା ପଡ଼ିବା ପୂର୍ବରୁ ଡୋକଲାମ ଇଲାକାରେ ଚୀନର ବେଆଇନ ବସତି ସ୍ଥାପନ ଦୃଷ୍ଟିକୁ ଆସିଛି । ଉପଗ୍ରହ ସୂତ୍ରରୁ ମିଳିଥିବା ଫୁଟେଜକୁ ଅନୁଧ୍ୟାନ କରିବା ପରେ ଏଭଳି ତଥ୍ୟ ନଜରକୁ ଆସିଛି । ଭାରତ-ଭୁଟାନ-ତିବ୍‌ବତ ତ୍ରିକୋଣ ଇଲାକାରେ ଅବସ୍ଥିତ ଡୋକଲାମ କ୍ଷେତ୍ରକୁ ଚୀନ ଆପଣା ଆଡ୍ଡା ବନାଇଛି । ଅତୀତରେ ଡୋକଲାମରେ ଭାରତ-ଚୀନସେନା ହାତାହାତି ହୋଇଥିଲେ । ଦୁଇ ଦେଶର କୂଟନୈତିକ ସ୍ତରୀୟ ଆଲୋଚନା ଜରିଆରେ ପରିସ୍ଥିତିରେ ସୁଧାର ଆସିଥିଲା ମାତ୍ର ପରେ ଚୀନ ତା’ର ପୁରୁଣା ଅଭ୍ୟାସ ଦେଖାଇଛି । ଭୁଟାନର କିଛି ଅଂଶକୁ ମାଡ଼ିବସିଛି ଚୀନ୍‌ । ଭାରତର ଗୁପ୍ତଚର ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଡୋକଲାମ ବିବାଦ ଶେଷ ହେବା ପରେପରେ ଚୀନ ତା’ର ସୀମା ସୁରକ୍ଷା ବାହିନୀକୁ ଆହୁରି ଶକ୍ତିଶାଳୀ କରିଛି । ସୀମାନ୍ତରେ ଅଧିକ ସେନା ମୁତୟନ କରିବା ସହିତ ବିରାଟ ଆକାରର ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରିଛି । ସେନା ଲୁଚାଇବା ପାଇଁ ବିରାଟ ବିରାଟ ସୁଡ଼ଙ୍ଗ ତିଆରି କରିଛି । ଏଲ୍‌ଏସିଠାରୁ ମାତ୍ର ୧୦୦-୨୦୦ ମିଟର ଦୂରତାରେ ଚୀନ ସରକାର ପୋଲ, ଗାଁ ଗଣ୍ଡା ପ୍ରତିଷ୍ଠା କରିଛି ।

ଚୀନର ଏଭଳି ପଦକ୍ଷେପରେ ଉଦବେଗ ପ୍ରକାଶ କରିଛି ଭାରତ । ଚୀନର ବେଆଇନ ନିର୍ମାଣ କାରଣରୁ ଭାରତର ସାର୍ବଭୌମତ୍ୱ ପ୍ରଭାବିତ ହେଉଥିବାର ଜଣାପଡ଼ିଲେ, ଭାରତ ସରକାର ତା’ର ପ୍ରତିକାର କରିବାକୁ ପଛାଇବେ ନାହିଁ ବୋଲି ମୋଦୀ ସରକାର ପ୍ରତିକ୍ରିୟା ପ୍ରକାଶ କରିଛି ।