ଭୁବନେଶ୍ୱର,(ସାକ୍ସୀ ନିୟୁଜ): ଖ୍ରୀଷ୍ଟିୟାନ୍ ଧର୍ମର ପବିତ୍ର ଶାସ୍ତ୍ର ବାଇବେଲ । ପ୍ରଭୁ ଯୀଶୁଙ୍କ ମହିମାକୁ ସମୃଦ୍ଧ କରିଛି ବାଇବେଲ । ଭାରତରେ ଖ୍ରୀଷ୍ଟିୟାନ୍ ଧର୍ମର ପ୍ରଚାର ପ୍ରସାର ପଛରେ ଇଂରେଜ ସରକାରଙ୍କ ଅବଦାନ ପ୍ରଣିଧାନ ଯୋଗ୍ୟ । ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଓଡ଼ିଶାରେ ଖ୍ରୀଷ୍ଟିୟାନ୍ ଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟକୁ ବ୍ୟାପକ କରିଥିଲେ ୱିଲିୟମ୍ କାରେୟ ।
ଏଥିପାଇଁ କାରେୟ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ପୀଠ ପୁରୀ ଶ୍ରୀକ୍ଷେତ୍ରକୁ ଖ୍ରୀଷ୍ଟିୟାନ୍ ଧର୍ମ ପ୍ରଚାର ପାଇଁ ଏନ୍ତୁଡ଼ିଶାଳ ଭାବେ ବ୍ୟବହାର କରିଥିଲେ । ଓଡ଼ିଶାରେ ଖ୍ରୀଷ୍ଟିୟାନ୍ ଧର୍ମକୁ ଲୋକପ୍ରିୟ କରିବାକୁ ହେଲେ ବାଇବେଲର ଓଡ଼ିଆ ଅନୁବାଦ କରାଯିବା ଜରୁରୀ ବୋଲି ସେ ହୃଦୟଙ୍ଗମ କରିଥିଲେ । ୧୮୦୮ ମସିହାରେ ବାଇବେଲର ଓଡ଼ିଆ ଅନୁବାଦ ପ୍ରକାଶ ପାଇଥିଲା । ନିଜେ କାରେୟ ପୁରୀ ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ଚାଲି ଚାଲି ତୀର୍ଥଯାତ୍ରୀଙ୍କ ହାତକୁ ଓଡ଼ିଆ ବାଇବେଲ ବଢ଼ାଇ ଦେଉଥିଲେ । ସେ ସମୟରେ ପୁରୀରେ ତୀର୍ଥଯାତ୍ରୀଙ୍କ ସମାଗମ ସର୍ବାଧିକ ଥିଲା ।
୧୮୪୦ରେ ଓଡ଼ିଆ ବାଇବେଲର ପରବର୍ତୀ ସଂସ୍କରଣ ପ୍ରକାଶ ପାଇଥିଲା । କାରେୟଙ୍କ ବାଇବେଲ ତୁଳନାରେ ୧୮୪୦ ସଂସ୍କରଣଟି ଅନ୍ୟ ଧର୍ମର ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା । କାରେୟଙ୍କ କାର୍ଯ୍ୟରେ ସହଯୋଗ କରିବା ପାଇଁ ୧୮୨୨ରେ ଓଡ଼ିଶାରେ ପାଦ ଦେଲେ ୱିଲିୟମ୍ ବାମ୍ପଟନ୍ ଓ ଜେମ୍ସ ପେଜସ୍ ।
ଓଡ଼ିଶାର ସର୍ବ ପୁରାତନ ଚର୍ଚ୍ଚ ଭାବେ ବାଲେଶ୍ୱରସ୍ଥିତ ଲାଲ ଗୀର୍ଜା ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି । ହିନ୍ଦୁଧର୍ମର ଭଗବାନ ଶ୍ରୀକୃଷ୍ଣ ଓ ପ୍ରଭୁ ଯୀଶୁଙ୍କ ମାନବ ଲୀଳା ପ୍ରାୟ ସମାନ । ଉଭୟଙ୍କ ନିକଟରେ ଅଦ୍ଭୁତ ଶକ୍ତି ଥିଲା । ଏକା ସମୟରେ ଦୁହେଁ ଅଲଗା ଅଲଗା ସ୍ଥାନରେ ଉପସ୍ଥିତ ରହି ଲୋକଙ୍କୁ ଆଚମ୍ବିତ କରୁଥିଲେ । ଦୁହେଁ ଦୁହିଁଙ୍କର ମୃତ୍ୟୁ ସଂପର୍କୀତ ଭବିଷ୍ୟବାଣୀ କରିଥିଲେ ।