ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ନୂଆବର୍ଷ ଆଣୁଛି ୧୩ ମାସ

ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ତିନି ବର୍ଷ ଅନ୍ତରରେ ଅତିରିକ୍ତ ମାସଟିଏ ଯୋଡ଼ି ହୋଇଯାଏ…..

ଆଉ ମାତ୍ର ଦିନ କେଇଟାରେ ଆସିବ ୨୦୨୩ । ନୂତନ ବର୍ଷ କ୍ୟାଲେଣ୍ଡରଟିରେ ସ୍ଥାନ ପାଇବ ୧୩ ମାସ । ସାଧାରଣତଃ ବର୍ଷକ ୧୨ ମାସ, ମାତ୍ର ୨୦୨୩ରେ ୧୩ ମାସ କାହିଁକି? ହିନ୍ଦୁ ପଂଚାଙ୍ଗ ମତେ ୨୦୨୩ରେ ଯୋଡ଼ି ଶ୍ରାବଣ ପଡୁଛି । ଦୁଇଟି ଶ୍ରାବଣ ମାସ କାରଣରୁ ବର୍ଷକ ୧୩ ମାସ ହେବାକୁ ଯାଉଛି । ପ୍ରଭୁ ମହାଦେବଙ୍କ ପ୍ରିୟ ମାସ ହେଉଛି ଶ୍ରାବଣ । ଶ୍ରାବଣ ମାସରେ ଜଳାଭିଷେକ କରାଯାଏ ।

ଏହି ମାସଟି କେବଳ ମହାଦେବଙ୍କ ପ୍ରିୟ ମାସ ନୁହେଁ । ଭଗବାନ ବିଷ୍ଣୁଙ୍କର ମଧ୍ୟ ପ୍ରିୟ ମାସ । ୧୯ ବର୍ଷର ବ୍ୟବଧାନ ପରେ ଯୋଡ଼ି ଶ୍ରାବଣ ପଡୁଛି । ଅତିରିକ୍ତ ମାସଟି ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ । ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ତିନି ବର୍ଷ ଅନ୍ତରରେ ଅତିରିକ୍ତ ମାସଟିଏ ଯୋଡ଼ି ହୋଇଯାଏ ।

ଉକ୍ତ ଅତିରିକ୍ତ ମାସଟିକୁ ମଳମାସ ବୋଲି କୁହାଯାଏ । ସୌରଗଣନା ଅନୁସାରେ ବର୍ଷକ ୩୬୫ ଦିନ ୬ ଘଂଟା ମାତ୍ର ଚନ୍ଦ୍ରବର୍ଷ ଅନୁସାରେ ବର୍ଷକ ୩୫୪ ଦିନ । ଦୁଇଟି ବର୍ଷ ମଧ୍ୟରେ ଅନ୍ତର ରହୁଛି ୧୧ ଦିନ ଯାହା ପ୍ରତି ତିନୋଟି ବର୍ଷରେ ୩୩ ଦିନର ବ୍ୟବଧାନ ଯାହା ସଂକ୍ଷେପରେ ଗୋଟିଏ ମାସକୁ ବୁଝାଉଛି ।

ମଳମାସରେ ବୈବାହିକ କାର୍ଯ୍ୟ କରାଯାଏନା । ଏହି ମାସରେ ବିବାହ କଲେ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହେ । ଘରେ ସୁଖଶାନ୍ତି ରହେନାହିଁ । ପତିପତ୍ନୀଙ୍କ ଭିତରେ ଶାରିରୀକ ସଂପର୍କ ବ୍ୟାହତ ହୁଏ । ମଳମାସରେ ନୂତନ ବ୍ୟବସାୟ ଆରମ୍ଭ କରାଯାଏନା । ବ୍ୟବସାୟ କଲେ ଆର୍ଥିକ ସଂକଟ ଲାଗି ରହିବ ।

ନୂଆ କାମ, ନୂଆ ଚାକିରି କି ପୁଞ୍ଜିନିବେଶ କରିବା ଅନୁଚିତ । ମଳମାସରେ ଜମିବାଡ଼ି କିଣିବା, ଘର ନିର୍ମାଣ କରିବା ମନା । ମଳମାସରେ ଯୋଉ ଘର କିଣିବେ, ସେ ଘରେ ଅଲକ୍ଷ୍ମୀ ବାସ କରନ୍ତି । ଜମିବାଡ଼ି କିଣିଲେ ତାକୁ ଉପଭୋଗ କରିବେ ନାହିଁ । ମଳମାସରେ କର୍ଣ୍ଣବେଧ କି ମୁଣ୍ଡନକୁ ବାରଣ କରାଯାଇଛି । ସେପରି କଲେ ପରିବାର ସଦସ୍ୟଙ୍କ ଭିତରେ ଭଲ ସଂପର୍କ ରହେ ନାହିଁ ।