ଶତ୍ରୁଛାତିକୁ ଚିରିଦେବ ଲଢୁଆ ବୁଡା ଜାହାଜ

ନୌସେନାକୁ ମିଳିଲା ଆଇଏନ୍‌ଏସ୍‌ ଭାଗିର….

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତୀୟ ନୌସେନାକୁ ମିଳିଯାଇଛି ସ୍କରପିନ୍‌ ଶ୍ରେଣୀର ଲଢୁଆ ବୁଡା ଜାହାଜ ‘ଆଇଏନ୍‌ଏସ୍‌ ଭାଗିର’ । ୨୦୨୦ ନଭେମ୍ବରରୁ ଉକ୍ତ ବୁଡ଼ା ଜାହାଜର ପରୀକ୍ଷଣ ଚାଲିଥିଲା । ଦୀର୍ଘ ଦୁଇବର୍ଷ ପରେ ଜାହାଜଟି ସବୁ ପରୀକ୍ଷଣକୁ ସଫଳତାର ସହ ଅତିକ୍ରମ କରିପାରିଛି । ଉକ୍ତ ଜାହାଜରେ ଅତ୍ୟାଧୁନିକ ଯୁଦ୍ଧସାମଗ୍ରୀ ଖଞ୍ଜାଯାଇଛି । ନୌସେନା ପାଇଁ ଉକ୍ତ ବୁଡା ଜାହାଜ ତିଆରି କରିଛି ମଝଗାଁଓ ଡକ୍‌ ଶିପବିଲଡର୍ସ ଲିମିଟେଡ୍‌ ।

ସମୁଦ୍ର ଗର୍ଭରୁ ଶତ୍ରୁର ଅବସ୍ଥିତି ନିରୂପଣ, ଶତ୍ରୁକୁ ମୁକାବିଲା, ଗୁପ୍ତତଥ୍ୟ ସଂଗ୍ରହ, ଶତ୍ରୁକୁ ଦମନ କରିବା ପାଇଁ ବାରୁଦ ବିଛାଇବା, ସମୁଦ୍ର ଗର୍ଭରୁ ଉପକୂଳ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାମକୁ ଅକ୍ଲେଶରେ ସମ୍ପାଦନ କରିପାରିବ ଆଇଏନ୍‌ଏସ୍‌ ଭାଗିର । ମୋଟ ଉପରେ କହିଲେ, ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସବୁ ପ୍ରକାର ଖୋରାକ୍‌ ଉକ୍ତ ବୁଡ଼ା ଜାହାଜ ନିକଟରେ ରହିଛି ।

ବୁଡା ଜାହାଜର ଲମ୍ବ ପ୍ରାୟ ୨୨୧ ଫୁଟ, ଓସାର ୨୦ ଫୁଟ ଓ ଉଚ୍ଚତା ପ୍ରାୟ ୪୦ ଫୁଟ । ସେଥିରେ ଚାରୋଟି ଏମ୍‌ଟିୟୁ ୧୨ଭି୩୯୬ଏସ୍‌ଇ୮୪ ଜିଜେଲ ଇଞ୍ଜିନ ରହିଛି । ତା’ ସହିତ ୩୬୦ଟି ବ୍ୟାଟେରୀ ସେଲ୍‌ ରହିଛି । ଅଗଭୀର ସ୍ଥାନରେ ଜାହାଜର ଗତି ଘଂଟାକୁ ୨୦ କିମି ଥିଲାବେଳେ ଗଭୀର ସମୁଦ୍ରରେ ଘଂଟା ପ୍ରତି ୩୭ କିମି ।