ମୋଦୀ ସରକାରଙ୍କ ବିମୁଦ୍ରୀକରଣକୁ କ୍ଲିନ୍‌ଚିଟ୍‌

ସଂସଦ ଚାହିଁଥିଲେ ବିମୁଦ୍ରୀକରଣ ସମୟର ବିବାଦୀୟ ଦୃଶ୍ୟପଟକୁ ସାଇତି ରଖି ପାରିଥାନ୍ତା…

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପକୁ ସମୟୋଚିତ କହି ସୁପ୍ରିମକୋର୍ଟ ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ବିମୁଦ୍ରୀକରଣକୁ ପ୍ରତିବାଦ କରି ଆଗତ ସବୁ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମୋଦୀ ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ୪-୧ ଭୋଟରେ ଗୃହୀତ ହୋଇଥିଲା ।

ଖଣ୍ଡପୀଠରେ ଉପସ୍ଥିତ ଚାରିଜଣ ବିଚାରପତି ୨୦୧୬ ନଭେମ୍ବର ୮ ତାରିଖରେ ସରକାରଙ୍କ ପକ୍ଷରୁ ଏକ ହଜାର ଟଙ୍କିଆ ଓ ପାଂଚଶହ ଟଙ୍କିଆ ନୋଟ୍‌ ଉପରେ ଲାଗୁ ନିଷେଧାଦେଶକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା କରି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପଟି ନିଶ୍ଚିତ ରୂପେ ତ୍ରୁଟିବିହୀନ ଥିଲା । ସରକାର ରାତାରାତି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି, ରିଜର୍ଭ ବ୍ୟାଙ୍କ ସହିତ ପ୍ରାୟ ୬ ମାସ ଧରି ଘନଘନ ଆଲୋଚନା କରିବା ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରିଥିଲେ ।

ଏକମାତ୍ର ଜଷ୍ଟିସ୍‌ ବିଭି ନାଗରତ୍ନା ମୋଦୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ରାତିଅଧିଆ ପଦକ୍ଷେପ କହି ନାପସନ୍ଦ କରିଛନ୍ତି । ସଂସଦ ଚାହିଁଥିଲେ ବିମୁଦ୍ରୀକରଣ ସମୟର ବିବାଦୀୟ ଦୃଶ୍ୟପଟକୁ ସାଇତି ରଖି ପାରିଥାନ୍ତା । ସଂସଦ ସେପରି ନ କରିବା ଅର୍ଥ ଭବିଷ୍ୟତ ବଂଶଧରଙ୍କ ସମାଲୋଚନାରୁ ମୋଦୀ ସରକାରଙ୍କୁ ବଂଚାଇବା ।

କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ଉପରେ ରିଜର୍ଭ ବ୍ୟାଙ୍କ ଗୋଟିଏ ବାକ୍ୟ ବ୍ୟବହାର କରିଛନ୍ତି, ‘କେନ୍ଦ୍ର ସରକାରଙ୍କ ଆଗ୍ରହ ମତେ…’ । ଏଥିରୁ ସ୍ପଷ୍ଟ ଜଣା ପଡ଼ିଯାଉଛି ଯେ ରିଜର୍ଭ ବ୍ୟାଙ୍କ ତା’ର ସ୍ୱାଧୀନ ନିଷ୍ପତିକୁ ସରକାରଙ୍କ ଉପରେ ଲଦି ଦେଇନାହିଁ ।