ନୂଆଦିଲ୍ଲୀ :୨୦୨୨ ଫେବୃଆରୀ ୨୪ ତାରିଖରେ ରୁଷିଆ ୟୁକ୍ରେନ୍ ଉପରେ ହମ୍ଲା କଲା । ୪୮ ଘଂଟା ଭିତରେ ୟୁକ୍ରେନ୍ ଆତ୍ମସମର୍ପଣ କରିବ ବୋଲି ଯୁଦ୍ଧ ବିଶେଷଜ୍ଞ ଆଶଙ୍କା କରୁଥିଲେ । କିନ୍ତୁ ୧୦ ମାସ ହୋଇଗଲାଣି ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ଆମେରିକା ଓ ବ୍ରିଟେନ ଭଳି ଦେଶଗୁଡ଼ିକ ୟୁକ୍ରେନକୁ କୋଟିକୋଟି ଟଙ୍କାର ଯୁଦ୍ଧାସ୍ତ୍ର ସହାୟତା ଦେଇସାରିଲେଣି । ଆଗକୁ ଆହୁରି ଅସ୍ତ୍ରଶସ୍ତ୍ର ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି ।
୨୦୨୩ରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ଉପୁଜିଛି । ପରମାଣୁ ଯୁଦ୍ଧ ହେଲେ ଲକ୍ଷାଧିକ ଲୋକ ପ୍ରାଣ ହରାଇବେ, ବିଶ୍ୱ ଦୃଶ୍ୟପଟ ବଦଳିଯିବ । ପୁଲିତଜର ପୁରସ୍କାର ବିଜେତା ସାମ୍ବାଦିକ କ୍ରିସ୍ ହେଜେସ ଯୁଦ୍ଧ ପାଇଁ ନାଟୋ ଓ ଆମେରିକା ବିଦେଶ ନୀତିକୁ ଦୋଷ ଦିଅନ୍ତି । ୟୁକ୍ରେନ-ରୁଷିଆ ଯୁଦ୍ଧ ଖୁବ ଶୀଘ୍ର ବନ୍ଦ ହୋଇଯିବା ଦରକାର । ତା’ ନହେଲେ ରୁଷିଆ-ଆମେରିକା ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଆଗାମୀ ଦିନରେ ପ୍ରତ୍ୟକ୍ଷ ଯୁଦ୍ଧକୁ ବଦଳିଯିବ ।
ୟୁରୋପିୟନ୍ କାଉନ୍ସିଲ୍ ଅନ୍ ଫରେନ୍ ରିଲେସନ୍ ନିର୍ଦ୍ଦେଶକ ଜେରେମୀ ଶପିରୋଙ୍କ ମତରେ ଦୁହେଁ ଏପରି ସ୍ଥିତିରେ ପହଂଚିଛନ୍ତି, ଯାହା ଦୁହିଁଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧ ଓ ପରେପରେ ପରମାଣୁ ଯୁଦ୍ଧ ଆଡ଼କୁ ଟାଣି ନେଉଛି । ପରିଣାମ ସ୍ୱରୂପ ଲକ୍ଷାଧିକ ଲୋକ ମରିବେ । ରୁଷିଆ-ନାଟୋ ଯୁଦ୍ଧ ମାତ୍ର କେଇ ମିନିଟ୍ ଭିତରେ ଶେଷ ହୋଇଯିବ । ମିନିଟକ ଭିତରେ ପୃଥିବୀ ଧ୍ୱଂସ ପାଇଯିବ ।
ଯୁଦ୍ଧ ବିଶାରଦଙ୍କ ମତରେ ୟୁକ୍ରେନ ଜିତିବାର ଆଶା ରୁଷିଆକୁ ପରମାଣୁ ବୋମା ପକାଇବାକୁ ବାଧ୍ୟ କରିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଯେ ରୁଷିଆ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତ ହେଉଛି । ଆମ ଲୋକମାନେ ପରମାଣୁ ବୋମାକୁ ମୁକାବିଲା କରିବା ପାଇଁ ସାହସ ଓ ଧୈର୍ଯ୍ୟ ସଂଗ୍ରହ କରୁଛନ୍ତି । ଜେଲେନ୍ସ୍କିଙ୍କ କଥା ସତ ହୋଇଥିଲେ ଆମକୁ ୨୦୨୩ରେ ପରମାଣୁ ଯୁଦ୍ଧ ଦେଖିବାକୁ ମିଳିବ ।