ଭୁବନେଶ୍ୱର (ଏସ ନ୍ୟୁଜ): ଭୁବନେଶ୍ୱର ରାଜ ଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଁଚିଲା।ସେଦିନ ବିସ୍ପୋରଣ ପରେ ଜଣେ ଗୁରୁତର ଆହତଙ୍କ ଚିକିର୍ଚ୍ଛାଧୀନ ଅବସ୍ଥାରେ କଟକ ଏସ ସି ବି ମେଡିକାଲ ରେ ମୃତ୍ୟୁ ଘଟିଥିବା ବେଳେ ,ପମ୍ପରେ କାର୍ଯ୍ୟରତ କର୍ମଚାରୀ ସୀମାଞ୍ଚଳ ପରିଡା ନିଖୋଜ ଥିଲେ।ପରେ ବିସ୍ପୋରଣ ସ୍ଥାନରେ ପଡିଥିବା ମଣିଷ ଶରୀରର ଭିଭିନ୍ନ ଅଂଶ କୁ ସଂଗ୍ରହ କରାଯାଇ DNA ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠା ଯାଇଥିଲା।ଆଜି ତାହାର ରିପୋର୍ଟ ରୁ ସୀମାଞ୍ଚଳ ପରିଡା ମୃତ ବୋଲି ପୋଲିସ କମିଶନର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।
ଏହି ରିପୋର୍ଟ ସମ୍ପର୍କରେ ମଧ୍ୟ ତାଙ୍କ ପରିବାର ଓ ସମ୍ପୃକ୍ତ କମ୍ପାନୀ କୁ ଜଣାଇ ଦିଆଯାଇଛି ବୋଲି କମିଶନର କହିଛନ୍ତି। ଫରେନ୍ସିକ୍ ଲାବୋରାଟୋରିରୁ ମିଳିଥିବା ଡିଏନ୍ଏ ପରୀକ୍ଷା ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ାଙ୍କର ବିସ୍ଫୋରଣରେ ମୃତ୍ୟୁ ଘଟିଛି କିନ୍ତୁ ଆଉ କୌଣସି ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିନାହାନ୍ତି ବୋଲି କୁହାଯାଇଛି ।
ଗତ ୭ ଅକ୍ଟୋବରରେ ଘଟିଥିବା ଏହି ପେଟ୍ରୋଲ ଟାଙ୍କି ବିସ୍ଫୋରଣକୁ ନେଇ ପୁଲିସ କମିସନର କହିଥିଲେ ଯେ ସୀମାଞ୍ଚଳଙ୍କ ମୃତ୍ୟୁ ଖବର ଇଣ୍ଡିଆନ୍ ଅଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ଏହାଦ୍ବାରା ଆଇନର ବ୍ୟବସ୍ଥା ଅନୁସାରେ ତାଙ୍କ ପରିବାର କ୍ଷତିପୂରଣ ପାଇପାରିବେ। ଏହି ଦୁର୍ଘଟଣା ପରେ ଗଞ୍ଜାମ ଜିଲ୍ଲାର ଅଧିବାସୀ ସୀମାଞ୍ଚଳ ପରିଡ଼ା ନିଖୋଜ ଥିବା କଥା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ସେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ କାମ କରିବା ଲାଗି ଆସିଥିଲେ ବୋଲି ମଧ୍ୟ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ତାଙ୍କ ଶରୀରର କୌଣସି ଅଂଶ ଘଟଣାସ୍ଥଳରୁ ନ ମିଳିବାରୁ ସେ ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇପାରିନଥିଲା। ଆଜି ଡିଏନ୍ଏ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି।