ଏଥର ହେବନି ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର (ଏସ ନ୍ୟୁଜ ): ଚଳିତ ବର୍ଷ କଟକରେ ହେବନି ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ କୋଭିଡ୍ ସ୍ଥିତିକୁ ଦେଖି ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବନି ।ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ।

ମହାମାରୀ ସମୟରେ ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । କାର୍ତ୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ଧବଳେଶ୍ୱରରେ ବି ବଡଓଷା ଉତ୍ସବ ପାଳନକୁ ଅନୁମତି ନାହିଁ । ବଡ ଓଷା ନୀତି ପାଳନ ହେବ, କିନ୍ତୁ ଲୋକଙ୍କୁ ମନ୍ଦିର ଯିବାକୁ ମନା ହୋଇଛି ।’

ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତ ବର୍ଷ ଏକାଧିକ ପର୍ବ ଓ ଉତ୍ସବ ପାଳନ ଉପରେ ରୋକ୍ ଲଗାଯାଇଛି। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ଲକଡାଉନ୍ ଆରମ୍ଭ କରିଥିଲେ। ଲକଡାଉନ୍ କାରଣରୁ ରାଜ୍ୟ ଓ ଦେଶରେ ସବୁ ପର୍ବପର୍ବାଣୀ ସାମୂହିକ ପାଳନ ଉପରେ ରୋକ୍ ଲଗାଯାଇଥିଲା। ଏପରିକି ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିଥିବା ବେଳେ ଦଶହରା ନିରାଡମ୍ବର ଭାବେ ପାଳନ କରାଯାଇଥିଲା।