ଦୁଇମାସ ପୁରିଲା, ଦିଲ୍ଲୀକୁ ମିଳିଲାନି ମେୟର

ନିର୍ଣ୍ଣାୟକ ମୋଡ଼ରେ ଏଲଡରମ୍ୟାନ୍‌ ଭୋଟିଂ…

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନକୁ ଦୁଇମାସ ପୁରିଲା । ତଥାପି ଦିଲ୍ଲୀବାସୀଙ୍କୁ ମିଳିଲାନି ମେୟର । ଡିସେମ୍ବର ୪ ତାରିଖରେ ମତଦାନ ଓ ୭ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ଓ ଆପ୍‌ ଛକାପଞ୍ଝା କାରଣରୁ ଏ ଯାଏ ହୋଇପାରିନି ମେୟର ନିର୍ବାଚନ । ଜାନୁଆରୀ ୬, ଜାନୁଆରୀ ୨୪ ଓ ଫେବୃଆରୀ ୬ ତାରିଖରେ ନିଗମ ବୈଠକ ଅନୁଷ୍ଠିତ ହେବାକ୍ଷଣି ମେୟର ଦାୟିତ୍ୱରେ ଥିବା ଅଧିକାରୀ ପ୍ରଥମେ ମନୋନୀତ ସଭ୍ୟଙ୍କୁ ଶପଥ ଗ୍ରହଣ ପାଇଁ ମଂଚକୁ ଡାକୁଛନ୍ତି ।

ପରିଣାମ ସ୍ୱରୂପ ଆରମ୍ଭ ହୋଇଯାଉଛି ବିଜେପି-ଆପ୍‌ ବିବାଦ । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚିତ ଲୋକପ୍ରତିନିଧି କକ୍ଷତ୍ୟାଗ କରୁଛନ୍ତି । ବାସ୍‌ ମେୟର ନିର୍ବାଚନ ଅଧାରୁ ଖତମ୍‌ । ଦିଲ୍ଲୀ ନଗର ନିଗମ ଅଧିନିୟମ ୧୯୫୭ ଅନୁସାରେ ନିଗମକୁ ମନୋନୀତ ୧୦ ଜଣ ସଭ୍ୟ ବିଜେପିର ହୋଇଥିବାରୁ ଶପଥ ଗ୍ରହଣ ପରେ ସେମାନଙ୍କୁ ଭୋଟିଂ ଅଧିକାର ମିଳିଯିବ ।

ଫଳରେ ମେୟର, ଡେପୁଟି ମେୟର ପଦବୀ ବିଜେପି ହାତକୁ ଚାଲିଯିବ । ମନୋନୀତ ସଭ୍ୟଙ୍କୁ ବାଦ୍‌ ଦେଇ ମେୟର ନିର୍ବାଚନ କରାଗଲେ, ଆପ ପଲା ଭାରି ରହିବ । ସୁତରାଂ ମେୟର ଓ ଉପମେୟର ପଦବୀ ଆପ୍‌ ହାତକୁ ଚାଲିଯିବ । ଏବେ ଆପଣମାନେ ବୁଝିପାରୁଥିବେ, ବିଜେପି ଓ ଆପ୍‌ ଭିତରୁ ସଂକୀର୍ଣ୍ଣ ରାଜନୀତି କୋଉ ଦଳ ଖେଳୁଛି?