ଗାଜିୟାବାଦ କୋର୍ଟରେ ହେଟାବାଘ ହାଜର

ପ୍ରାୟ ତିନିଘଂଟା ହେବ ହେଟାବାଘଟି କୋର୍ଟ ପରିସରରେ ରହିଲାଣି…

ନୂଆଦିଲ୍ଲୀ: ବୁଧବାର ଗାଜିୟାବାଦ କୋର୍ଟ ପରିସରରେ ଗୋଟିଏ ହେଟାବାଘ ପଶିଯିବା ଫଳରେ ଅସମ୍ଭାଳ ପରିସ୍ଥିତି ଉପୁଜିଛି । କୋର୍ଟର ପୁରୁଣା କୋଠା ନିକଟରେ ହେଟାବାଘ ଦୁଇଜଣ ଓକିଲ, ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ସମେତ ପାଂଚଜଣଙ୍କୁ ଆକ୍ରମଣ କରିଛି । ଜୋତା ପଲିସ କରୁଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟଜନକ ରହିଛି । ତାଙ୍କ କାନମୁଣ୍ଡାକୁ ହେଟାବାଘଟି ଝୁଣି ଦେଇଛି । ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି ।

ହେଟା ଭୟରେ ପୁରୁଣା କୋଠାଟିକୁ ତୁରନ୍ତ ଖାଲି କରାଯାଇଛି । ବାଘଟିକୁ ଆଖି ଆଗରେ ଦେଖି ଓକିଲ, ମହକିଲ, ମୋହରିର, କୋର୍ଟ କର୍ମଚାରୀ ମହଲ ଜୀବନ ବିକଳରେ ଦୌଡ଼ାଦୌଡ଼ି କରିବାରୁ ହେଟାବାଘଟି ମଧ୍ୟ ଏଣେତେଣେ ଧାଁ ଧଉଡ଼ କରିଥିଲା । କୋର୍ଟ ପରିସରରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି ।

ଖବର ଶେଷ ସୁଦ୍ଧା ହେଟାବାଘଟି କୋର୍ଟ ପରିସରରେ ବୁଲାବୁଲି କରୁଥିଲା । ଖବର ପାଇଁ ପୁଲିସ ଓ ବନବିଭାଗର ଦୁଇଟି ଉଦ୍ଧାରକାରୀ ଦଳ କୋର୍ଟ ନିକଟରେ ପହଂଚିଛନ୍ତି । ପ୍ରାୟ ତିନିଘଂଟା ହେବ ହେଟାବାଘଟି କୋର୍ଟ ପରିସରରେ ରହିଲାଣି । ରାତି ହୋଇଗଲେ, ବାଘଟିକୁ ଧରିବା କଷ୍ଟକର ହେବ ବୋଲି ଉଦ୍ଧାରକାରୀ ଦଳ କହିଛନ୍ତି । କୋର୍ଟ ଆଖପାଖ ଅଂଚଳର ଲୋକମାନେ ଛାନିଆ ହୋଇଯାଇଛନ୍ତି ।