ସମସ୍ତେ ପାଳନ କରୁଛନ୍ତି ଭାଲେଂଟାଇନ୍ ଡେ’ । ମାତ୍ର କେଉଁ ଖୁସିରେ ଅବା କେଉଁ ଦୁଃଖରେ ଭାଲେଂଟାଇନ୍ ଡେ’ ପାଳନ କରାଯାଉଛି; ପଚାରିଲେ କାହାରି ମୁହଁରୁ ସଠିକ୍ ଉତର ମିଳୁନି ।
ଇତିହାସକୁ ଘାଂଟିଲେ ଜଣାଯାଏ, ଫେବୃଆରୀ ୧୪ ତାରିଖରେ ସେଂଟ ଭାଲେଂଟାଇନ୍ଙ୍କୁ ଦଣ୍ଡ ବିଧାନ ସ୍ୱରୂପ ଜୀବନ୍ତ ସମାଧି ଦିଆଯାଇଥିଲା ।
ରୋମର ଭାଲେଂଟାଇନ୍ ଗୀର୍ଜାରେ ପୂଜକ କାମ କରୁଥିଲେ । ତାଙ୍କୁ ୨୬୯ରେ କବର ଦିଆଯାଇଥିଲା । ପୋପ୍ ଜେଲସିୟସ୍ ସନ୍ଥ ଭାଲେଂଟାଇନ୍ଙ୍କୁ ୪୯୬ରେ ଖ୍ରୀଷ୍ଟିୟାନ୍ କ୍ୟାଲେଣ୍ଡରରେ ସ୍ଥାନ ଦେଲେ । ତା’ ପରଠାରୁ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖଟିକୁ ଭାଲେଂଟାଇନ୍ ଡେ’ ରୂପେ ପାଳନ କରାଯାଉଛି ।
ଫେବୃଆରୀ ୭-୧୪ ସପ୍ତାହଟିକୁ ଭାଲେଂଟାଇନ୍ ସପ୍ତାହ ଭାବେ ପାଳନ ଚାଲିଛି । ଆଜି ମଧ୍ୟ ବାସିଲିକାସ୍ଥିତ ସାଂଟା ମାରିଆ ପୀଠରେ ସେଂଟ ଭାଲେଂଟାଇନ୍ଙ୍କ କଙ୍କାଳକୁ ଫୁଲରେ ସଜାଇ ଦିଆଯାଉଛି । ହଜାର ହଜାର ପ୍ରେମୀ ଯୁଗଳ ଉକ୍ତ ପୀଠକୁ ଆସି ଅମର ପ୍ରେମକୁ କେଇ ସେକେଣ୍ଡ ପାଇଁ ମନେପକାନ୍ତି ।
ରୋମର ଭାଲେଂଟାଇନ୍ ପଛେପଛେ ଟେର୍ନିର ଭାଲେଂଟାଇନ୍ଙ୍କୁ ୨୭୩ରେ ସମ୍ରାଟ ଔରେଲିଆନ୍ଙ୍କ ଆଦେଶ ବଳରେ କବର ଦିଆଗଲା । ରୋମର ଦୁଇବିଶିଷ୍ଟ ଖ୍ରୀଷ୍ଟିୟାନ୍ ପୂଜକଙ୍କ ସମାଧି ଦିବସଟିକୁ ସ୍ମରଣୀୟ ରଖିବା ପାଇଁ ଭାଲେଂଟାଇନ୍ ଡେ’ ପାଳିତ ହୋଇଆସୁଛି । ଦୁଇ ପୂଜକ ମୃତ୍ୟୁ କୋଳକୁ ଯିବା ପୂର୍ବରୁ ଯେଉଁ ଦିବ୍ୟ ସନ୍ଦେଶ ଦେଇ ଯାଇଛନ୍ତି, ତାହା ହେଉଛି ‘ସବୁ କ୍ଷଣିକ, ପ୍ରେମ ଅଳିକ’ ।