ମହା ଶିବରାତ୍ରୀ: ଘରକୁ ଆଣନ୍ତୁ ୬ଟି ଦ୍ରବ୍ୟ, ଚମକିବ ଭାଗ୍ୟ

ତମ୍ବା କଳସରେ ଶିବଲିଙ୍ଗ ଜଳାଭିଷେକ କରିବା ଉଚିତ୍‌…

ଭଗବାନ ଶିବଙ୍କ ପାଇଁ ସମର୍ପିତ ଦିନଟି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରେ ମହା ଶିବରାତ୍ରୀ ପାଳନ କରାଯିବ । ସେଦିନ ମହାଦେବଙ୍କର ପୂଜାର୍ଚ୍ଚନା କରିବା ଫଳରେ ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯାଏ । ଜ୍ୟୋତିଷଙ୍କ ମତରେ ଭଗବାନ ଶିବଙ୍କୁ ତାଙ୍କ ମନଲାଖି ଦ୍ରବ୍ୟ ଅର୍ପଣ କଲେ, ସବୁ ସମସ୍ୟାର ନିବାରଣ ହୋଇଯାଏ । ଶିବଙ୍କ ପ୍ରିୟବସ୍ତୁ ଘରେ ରଖିବା ଫଳରେ ଆର୍ଥିକ ସଂକଟ ଦୂର ହୋଇଯାଏ ।

ସବୁ ଶିବ ମନ୍ଦିରରେ ମହାଦେବଙ୍କର ପ୍ରିୟ ବାହନ ‘ନନ୍ଦି’କୁ ଦେଖିବାକୁ ମିଳେ । ମହାଶିବରାତ୍ରୀ ଦିନ ଶିବଙ୍କ ସହିତ ବଳଦ ‘ନନ୍ଦି’କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଯେଉଁ ଲୋକ ପାଖରେ ଉପାର୍ଜିତ ଧନ ରହୁନାହିଁ; ସେ ମହା ଶିବରାତ୍ରୀ ଦିନ ରୂପାରେ ତିଆରି ‘ନନ୍ଦୀ’ଟିଏ କିଣି ତାକୁ ଘରେ ସ୍ଥାପନ କରିବା ଉଚିତ । ମନେରଖନ୍ତୁ ରୂପା ‘ନନ୍ଦୀ’କୁ ପୂଜାଘରେ ସ୍ଥାପନ କରିବା ଅତ୍ୟନ୍ତ ଶୁଭ । ସେଭଳି କଲେ, ଆର୍ଥିକ ସଂକଟରୁ ମୁକ୍ତି ମିଳେ ।

ଏକମୁଖୀ ରୁଦ୍ରାକ୍ଷ: ଏକମୁଖି ରୂଦ୍ରାକ୍ଷକୁ ସାକ୍ଷାତ ଭଗବାନ ଶିବଙ୍କ ସ୍ୱରୂପ କୁହାଯାଏ । ଶାନ୍ତି ଓ ସମୃଦ୍ଧିର ପ୍ରତୀକ ହେଉଛି ‘ରୁଦ୍ରାକ୍ଷ’ । ପବିତ୍ର ମହା ଶିବରାତ୍ରୀ ଦିନ ଏକମୁଖି ରୁଦ୍ରାକ୍ଷ କିଣି ତାକୁ ମନ୍ତ୍ରରେ ସିଦ୍ଧି କରିବା ପରେ ଗଳାରେ ଧାରଣ କରନ୍ତୁ ନଚେତ୍‌ ଟଙ୍କା ସିନ୍ଦୁକରେ ରଖନ୍ତୁ । ଘରେ ଧନଧାନ୍ୟର ଅଭାବ ରହିବ ନାହିଁ ।

ରତ୍ନରେ ତିଆରି ଶିବଲିଙ୍ଗ: ଶିବଲିଙ୍ଗରେ ଜଳାଭିଷେକ ବିନା ମହା ଶିବରାତ୍ରୀ ଅସଂପୂର୍ଣ୍ଣ ରହିଯାଏ । ମହା ଶିବରାତ୍ରୀ ଦିନ ରତ୍ନରେ ନିର୍ମିତ ଶିବଲିଙ୍ଗ କିଣି ପୂଜାଘରେ ସ୍ଥାପନ ପୂର୍ବକ ନିୟମିତ ପୂଜାର୍ଚ୍ଚନା କଲେ, ସମସ୍ତ ପ୍ରକାର ଗ୍ରହପୀଡ଼ାରୁ ମୁକ୍ତି ମିଳେ ।

ପାରଦ ଶିବଲିଙ୍ଗ: ମହା ଶିବରାତ୍ରୀ ଦିନ ପୂଜାଘରେ ପାରଦ ଶିବଲିଙ୍ଗ ସ୍ଥାପନ କଲେ, କାଳସର୍ପ ଦୋଷ ଓ ବାସ୍ତୁଦୋଷରୁ ମୁକ୍ତି ମିଳେ ।

ତାମ୍ର କଳସ: ପାରିବାରିକ ବିବାଦ, କଳିଝଗଡ଼ାର ପରିସମାପ୍ତି ପାଇଁ ମହା ଶିବରାତ୍ରୀ ଦିନ ତମ୍ବାର କଳଟିଏ କିଣି ଘରକୁ ଆଣନ୍ତୁ; ଘରେ ସୁଖଶାନ୍ତି ପ୍ରତିଷ୍ଠା ହେବ । ତମ୍ବା କଳସରେ ଶିବଲିଙ୍ଗ ଜଳାଭିଷେକ କରିବା ଉଚିତ୍‌ ।

ମହା ମୃତ୍ୟୁଞ୍ଜୟ ଯନ୍ତ୍ର: ପୂଜାଘରେ ମହାମୃତ୍ୟୁଞ୍ଜୟ ଯନ୍ତ୍ର ସ୍ଥାପନ କରି ନିୟମିତ ପୂଜା କରିବା ଫଳରେ ସୁଖ-ସମୃଦ୍ଧି ବଜାୟ ରହିବ । ଶିବରାତ୍ରୀ ଦିନ ମହା ମୃତ୍ୟୁଞ୍ଜୟ ଯନ୍ତ୍ରଟିଏ କିଣି ଘରେ ସ୍ଥାପନ କରିବା ଅତିଶୁଭ ।