ନାଗପୁର ପିଚ୍‌ ମୁଣ୍ଡରେ ଦୋଷ ଲଦିଲେ କଙ୍ଗାରୁ ପଲ

ଆସନ୍ତା ୧୭ ତାରିଖରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ…

ନାଗପୁର: ପ୍ରଥମେ ଟେଷ୍ଟରେ ଗୋଟିଏ ପାଳି ଓ ୧୩୨ ରନ୍‌ ବ୍ୟବଧାନରେ ଭାରତଠାରୁ ପରାଜିତ ହେବାପରେ ଅଷ୍ଟ୍ରେଲିଆ ଅଧିନାୟକ ନାଗପୁର ପିଚ୍‌କୁ ଦାୟୀ କରିଛନ୍ତି । ପ୍ରଥମ ଟେଷ୍ଟର ତୃତୀୟ ଦିନରେ କଙ୍ଗାରୁ ପଲ ଆଣ୍ଠେଇ ପଡ଼ିଲେ । ଦ୍ୱିତୀୟ ପାଳି ମାତ୍ର ୯୧ ରନ୍‌ କରି ସବୁ କଙ୍ଗାରୁ ପାଭିଲିଅନ୍‌ ଫେରିଥିଲେ । ଚାରୋଟି ଟେଷ୍ଟ ବିଶିଷ୍ଟ ସିରିଜରେ ଭାରତ ଅଷ୍ଟ୍ରେଲିଆଠାରୁ ୧-୦ରେ ଆଗୁଆ ଅଛି । ଆସନ୍ତା ୧୭ ତାରିଖରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

ଆଜିର ଶୋଚନୀୟ ପରାଜୟକୁ ହଜମ କରି ପାରିନାହାନ୍ତି କଙ୍ଗାରୁ ଅଧିନାୟକ ପ୍ୟାଟ୍‌ କମିନ୍‌ସ । ନାଗପୁର ପିଚ୍‌ଟି ବ୍ୟାଟିଂ ପାଇଁ ଉପଯୁକ୍ତ କହିବା ସହ ସେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଅନ୍ୟାନ୍ୟ ଖେଳାଳିଙ୍କୁ ଭରପୁର ତାରିଫ କରିଛନ୍ତି । ତା’ ସହିତ ଅଷ୍ଟ୍ରେଲିଆର ନୂଆ ପ୍ରତିଭା ସ୍ପିନର ଟଡ୍‌ ମର୍ଫିଙ୍କୁ ତାରିଫ କରିଛନ୍ତି ।

କମିନ୍ସ କହିଛନ୍ତି, ନାଗପୁର ପିଚରେ ଦ୍ୱିତୀୟ ପାଳି ଆମେ ସମସ୍ତେ ମିଶି ଶହେ ରନ୍‌ ବି କରିପାରିଲୁନି । ୟା’ଠାରୁ ବଳି ଲଜ୍ଜାର ବିଷୟ ଆମ ପକ୍ଷେ ଆଉ କିଛି ନାହିଁ । ଟିମ୍‌ ଇଣ୍ଡିଆ ତା’ର କରିସ୍ମା ଦେଖାଇଛି । ଭାରତୀୟ ଟିମର ପ୍ରତି ଖେଳାଳି ସେମାନଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା ତାଙ୍କର ଶ୍ରେଷ୍ଠତମ ପାଳି ଖେଳିଛନ୍ତି ।

ସେ ପୁଣି କହିଛନ୍ତି, ଆମ ଖେଳାଳି ଏତେ ଖରାପ ଖେଳିନାହାନ୍ତି । ମାନର୍ସ ଲାବୁଶେନ୍‌ ପ୍ରଥମ ପାଳିରେ ୪୯ ରନ୍‌ କରିବା, ଟଡ୍‌ ମର୍ଫି ତାଙ୍କର ପ୍ରଥମ ଟେଷ୍ଟ ଜୀବନରେ ପାଂଚଟି ୱିକେଟ୍‌ ଦଖଲ କରିବା ଅଷ୍ଟ୍ରେଲିଆ ପକ୍ଷେ ନିଆରା ଅଭିଜ୍ଞତା । ଆଗାମୀ ଦିନରେ ଆମେ ବିରାଟ ସ୍କୋର ପ୍ରତି ଅଧିକ ଧ୍ୟାନ ଦେବୁ ।

ପ୍ରଥମ ଟେଷ୍ଟରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୭୭ ରନ୍‌ କରିଥିଲା । ଜବାବରେ ଅଧିନାୟକ ରୋହିତ ଶର୍ମାଙ୍କର ବ୍ୟକ୍ତିଗତ ୧୨୦ ରନ୍‌ ବଳରେ ଭାରତ ୪୦୦ ରନ୍‌ କରିଥିଲା । ପ୍ରଥମ ପାଳିରେ ଭାରତ ୨୨୩ ରନ୍‌ ଆଗୁଆ ଥାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି ବ୍ୟାଟିଂ କଲା । ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆକୁ ଜିତିବାକୁ ସୁଯୋଗ ଦେଲେନାହିଁ । ସାତୋଟି ୱିକେଟ୍‌ ଓ ୭୦ ରନ୍‌ କରିଥିବା ରବିନ୍ଦ୍ର ଜାଡେଜା ‘ପ୍ଲେୟାର୍‌ ଅଫ୍‌ ମ୍ୟାଚ୍‌’ ଘୋଷିତ ହୋଇଛନ୍ତି ।