‘ଏଣିକି କଟକ, ଭୁବନେଶ୍ୱର ବଦଳରେ ସିଧା ଉପରକୁ’
ଖୁବ ଶୀଘ୍ର ନର୍ସିଂ କଲେଜ ଓ କ୍ୟାନସର୍ କେୟାର ୱିଙ୍ଗ ଖୋଲିବାର ବନ୍ଦୋବସ୍ତ କରାଯିବ…
କେନ୍ଦୁଝର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଯାଇ ଧରଣୀଧର ମେଡିକାଲ ଓ ହସ୍ପିଟାଲ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ଜନ ସମାବେଶରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଉ କେନ୍ଦୁଝର ଜନତାଙ୍କୁ ଜଟିଳ ରୋଗ ଉପଚାର ପାଇଁ କଟକ ଓ ଭୁବନେଶ୍ୱର ଯାଇ ହିନସ୍ତା ଭୋଗିବାକୁ ପଡ଼ିବନି । ଜିଲ୍ଲାର ଲୋକମାନଙ୍କୁ ଧରଣୀଧର ମେଡିକାଲରୁ ଉନ୍ନତ ଚିକିତ୍ସା ସେବା ମିଳିବ । ଖୁବ ଶୀଘ୍ର ନର୍ସିଂ କଲେଜ ଓ କ୍ୟାନସର୍ କେୟାର ୱିଙ୍ଗ ଖୋଲିବାର ବନ୍ଦୋବସ୍ତ କରାଯିବ ।
ଲୋକଙ୍କ ସେବା ପ୍ରତି ନବୀନବାବୁ ଯେତିକି ସମର୍ପିତ ନୁହନ୍ତି; ଭୋଟ ପାଇବାକୁ ସେତିକି ଆଗ୍ରହୀ । ପ୍ରତିଟି ଜୀବନକୁ ବଂଚାଇ ନିର୍ବାଚନ ସମୟରେ ଭୋଟ ପାଇବାର ଆଶା ରଖି ନବୀନବାବୁ ଗରିବ ଜନତାଙ୍କୁ ପଟି ପଢ଼ାଇବାକୁ ଉଦ୍ୟମ କରୁଛନ୍ତି । ଏମିତି ତ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱରରେ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲି ନବୀନବାବୁ ଲୋକଙ୍କ ପାଇଁ କଟକ ଓ ଭୁବନେଶ୍ୱର ନ ଯିବା ପାଇଁ ଉପଦେଶ ଦେଇଥିଲେ ।
କିନ୍ତୁ ସେଠାକାର ପରିସ୍ଥିତି ଜଣେ ଭୁକ୍ତଭୋଗୀ ହିଁ ଭଲ ଭାବରେ କହିପାରିବେ । ବ୍ରହ୍ମପୁର ହସ୍ପିଟାଲରେ ନୂତନ କୋଠା ଛାତରୁ ସିଲିଂ ଖସୁଛି । ପଙ୍ଖା ଖସୁଛି । ସମ୍ବଲପୁର ଡାକ୍ତରଖାନାରେ ଡାକ୍ତରମାନେ ରୋଗୀଙ୍କୁ କୁକୁର ମାଙ୍କଡ଼ ବ୍ୟବହାର ଦେଖାଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରୁ କେମିତି ହିତାଧିକାରୀଙ୍କ ଟଙ୍କା ଚଳୁ କରିହେବ, ସେ ବିଷୟରେ ସରକାରୀ ଅଧିକାରୀମାନେ ଘରୋଇ ଡାକ୍ତରଖାନାକୁ ଭଲ ତାଲିମ ପ୍ରଦାନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜନତାଙ୍କ ପାଇଁ ୪୭୦୩ କୋଟି ଟଙ୍କାରେ ୨୫୯ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ଜନତାଙ୍କୁ ଭେଟି ଦେବାରେ ମୁଖ୍ୟମନ୍ତ୍ରୀ କୁଣ୍ଠାବୋଧ କରନ୍ତି ନାହିଁ । ମାତ୍ର ଉକ୍ତ ପ୍ରକଳ୍ପର ସୁବିଧା ଲୋକଙ୍କୁ ମିଳୁଛି କି ନାହିଁ, ତା’ର ଖବର ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ଅଭାବ ।