ପ୍ରେମିକାକୁ ମାରି ୩୫ କିମି ବୁଲିଥିଲା ପ୍ରେମିକ

ଜାମିନ ନାମଂଜୁର କରି କୋର୍ଟ ଅଭିଯୁକ୍ତ ସାହିଲକୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇଛି….

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପୁଲିସ ସୂଚନା ମୁତାବକ ୯ ଫେବୃଆରୀ ସନ୍ଧ୍ୟାରେ ବିବାହକୁ କେନ୍ଦ୍ର କରି ନିକ୍କି ଓ ସାହିଲ ଗେହଲଟଙ୍କ ମଧ୍ୟରେ କଳିଝଗଡ଼ା ହୋଇଥିଲା । କ୍ରୋଧାନ୍ଧ ସାହିଲ କଶ୍ମୀରି ଗେଟ୍‌ସ୍ଥିତ ଆଇଏସ୍‌ବିଟି ନିକଟରେ ମୋବାଇଲ ଚାର୍ଜର କେବଲ ଜରିଆରେ ନିକ୍କି ବେକକୁ ଚିପି ମାରି ଦେଲା । ନିକ୍କିର ପ୍ରାଣହୀନ ଶରୀରକୁ କାରରେ ଭର୍ତି କରି ୩୫ କିଲୋମିଟର ଦୂର ମିତ୍ରାଂବ ଗ୍ରାମରେ ପହଂଚିଥିଲା ।

ସାହିଲ ନିଜ ଢାବାସ୍ଥିତ ଫ୍ରିଜରେ ନିକ୍କିର ମୃତଦେହକୁ ଲୁଚାଇ ରଖିଥିଲା । ନିକ୍କି ଶବକୁ ଠିକଣା ଜାଗାରେ ପହଂଚାଇବା ପୂର୍ବରୁ କେହି ଜଣେ ପୁଲିସକୁ ଖବର ଦେଇଥିଲା । ଫଳରେ ଫେବୃଆରୀ ୧୦ ତାରିଖରେ ପୁଲିସ ନିକ୍କିର ମୃତଦେହକୁ ଜବତ କଲା । ନିକଟରେ ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ବୁଲୁଛି ଯେଉଁଥିରେ ନିକ୍କି ସାହିଲ ଘରକୁ ଯାଉଥିବାର ଦେଖିବାକୁ ମିଳୁଛି । କ୍ରାଇମ୍‌ ବ୍ରାଂଚ୍‌ ସାହିଲକୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କଲା । ଜାମିନ ନାମଂଜୁର କରି କୋର୍ଟ ଅଭିଯୁକ୍ତ ସାହିଲକୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇଛି । ଇତିମଧ୍ୟରେ ନିକ୍କିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ପୁଲିସ ।