୬ ଘଂଟା ପାଇଁ ଭାରତ ଆଇସିସି ଏକ ନମ୍ବର

ଚଳିତ ବର୍ଷ ଜାନୁଆରୀ ୧୮ ତାରିଖରେ ମଧ୍ୟ ଆଇସିସି ର‍୍ୟାକିଂରେ ତ୍ରୁଟି ପରିଲକ୍ଷିତ ହୋଇଥିଲା….

ନୂଆଦିଲ୍ଲୀ: ଇଂଟରନେସନାଲ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି)ର ସାମାନ୍ୟ ତ୍ରୁଟି କାରଣରୁ ଭାରତ ୬ ଘଂଟା ପାଇଁ ଆଇସିସି ଟେଷ୍ଟ ତାଲିକାର ଏକ ନମ୍ବର ସ୍ଥାନକୁ ଦଖଲ କରିଥିଲା । ବୁଧବାର ଦିନ ଆଇସିସି ୱେବ୍‌ସାଇଟରେ ଭାରତକୁ ଟେଷ୍ଟ ଦୁନିଆର ଏକ ନମ୍ବର ସ୍ଥାନରେ ଦେଖିବାକୁ ମିଳିଥିଲା । ୬ ଘଂଟା ପରେ ଆଇସିସି ସଂଶୋଧିତ ତାଲିକା ପ୍ରସାରଣ କରିଥିଲା । ସଂଶୋଧିତ ଟେଷ୍ଟ ତାଲିକାରେ ଭାରତ ପୁଣି ଦୁଇ ନମ୍ବରକୁ ଚାଲିଯାଇଛି । ଏକ ନମ୍ବରରେ ଅଷ୍ଟ୍ରେଲିଆ ସ୍ଥାନ ପାଇଛି । ଏଭଳି ତ୍ରୁଟି ପାଇଁ ଆଇସିସି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଜାରି କରାଯାଇନି ।

ଭାରତ ଆଇସିସି ଟି-୨୦ ଓ ଦିନିକିଆ ତାଲିକାରେ ଏକ ନମ୍ବରରେ ରହିଛି । ଟେଷ୍ଟ ର‍୍ୟାକିଂରେ ଅଷ୍ଟ୍ରେଲିଆ ୧୨୬ ପଏଂଟ୍‌ ପାଇଥିଲା ବେଳେ ଭାରତ ୧୧୫ ପଏଂଟରେ ଅଟକିଛି । ଚଳିତ ବର୍ଷ ଜାନୁଆରୀ ୧୮ ତାରିଖରେ ମଧ୍ୟ ଆଇସିସି ର‍୍ୟାକିଂରେ ତ୍ରୁଟି ପରିଲକ୍ଷିତ ହୋଇଥିଲା ।

ଆଇସିସି ଅଫିସିଆଲ ୱେବସାଇଟ୍‌ରେ ଦିନ ସାଢେ଼ ଗୋଟାଏରେ ଭାରତକୁ ଏକ ନମ୍ବର ଟେଷ୍ଟ ଟିମ୍‌ ଦର୍ଶାଇ ଦିଆଗଲା । ଅଢେ଼ଇ ଘଂଟା ପରେ ଅର୍ଥାତ୍‌ ଦିନ ଚାରିଟାରେ ଭାରତକୁ ଦୁଇ ନମ୍ବରକୁ ଖସାଇ ଦିଆଗଲା । ଅଷ୍ଟ୍ରେଲିଆକୁ ଏକ ନମ୍ବରରେ ରଖି ଦିଆଗଲା । ଏଭଳି ଗୁରୁଚଣ୍ଡାଳ ଦୋଷ ପାଇଁ ଆଇସିସି ବିରୋଧରେ କେହି ପାଟି ଫିଟାଉନାହାନ୍ତି ।