ଉଦ୍ଧବଙ୍କ ହାତରୁ ଚାଲିଗଲା ଶିବସେନା

ଶିବସେନା ନାମ ଓ ଦଳୀୟ ଚିହ୍ନଟି ଏକନାଥ ସିନ୍ଦେଙ୍କ ଗୋଠକୁ ମିଳିଛି….

ମୁମ୍ବାଇ: ବାଲ ଠାକରେଙ୍କ ମାନସପୁତ୍ର ଶିବସେନା ଆଉ ଉଦ୍ଧବ ଠାକରେଙ୍କ ମାଲିକାନାରେ ନାହିଁ । ନିର୍ବାଚନ କମିଶନଙ୍କ ନିଷ୍ପତି ମୁତାବକ ଶିବସେନା ଚାଲିଯାଇଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହାତକୁ । ବେଶ କିଛିମାସ ଧରି ଶିବସେନା ଦଳ ଓ ଚିହ୍ନକୁ କେନ୍ଦ୍ର କରି ବାଲ ଠାକରେଙ୍କ ପଟ୍ଟଶିଷ୍ୟ ଏକନାଥ ଓ ପୁତ୍ର ଉଦ୍ଧବଙ୍କ ଭିତରେ ବିବାଦର ସୂତ୍ରପାତ ଚାଲିଥିଲା । ଆଜି ନିର୍ବାଚନ କମିଶନ ଉକ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଶିବସେନା ନାମ ଓ ଦଳୀୟ ଚିହ୍ନଟି ଏକନାଥ ସିନ୍ଦେଙ୍କ ଗୋଠକୁ ମିଳିଛି ।

ନିର୍ବାଚନ କମିଶନଙ୍କଠାରୁ ଏହିଭଳି ନିଷ୍ପତି ଆଶା କରାଯାଉଥିଲା ବୋଲି ଉଦ୍ଧବ ଠାକରେଙ୍କର ଜଣେ ବରିଷ୍ଠ ସମର୍ଥକ ପ୍ରତିକ୍ରିୟାରେ କହିଛନ୍ତି । ବାଲ ଠାକରେଙ୍କ ଅନୁଗାମୀ ଆନନ୍ଦ ଦୁବେ କହିଛନ୍ତି, ମାମଲାଟି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିଲାବେଳେ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

ନିର୍ବାଚନ କମିଶନଙ୍କ ଉପରେ ଆମର ଭରସା ନଥିଲା । କମିଶନ ଏବେ କେନ୍ଦ୍ର ସରକାରଙ୍କ ଏଜେଂଟ ଭଳି କାମ କରୁଛି । ଏକ ଚାନେଲକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ବାଚନ କମିଶନଙ୍କ ରାୟକୁ ଗଣତନ୍ତ୍ରର ବିଜୟ କହିଛନ୍ତି । ମାତ୍ର ଉଦ୍ଧବଙ୍କ ସହକର୍ମୀ ସଞ୍ଜୟ ରାଉତଙ୍କ ମତରେ ମହାରାଷ୍ଟ୍ରରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ।