ଦିବାଲୋକରେ ନାବାଳିକାଙ୍କୁ ଲହୁଲୁହାଣ

ବାଟରେ ଯା’ଆସ କରୁଥିବା ଲୋକଙ୍କ ପ୍ରତିକ୍ରିୟାକୁ ଓଁକାର ଭ୍ରୁକ୍ଷେପ କରି ନଥିଲେ…

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ବ୍ୟବସାୟୀଙ୍କ ମାଡ଼ରେ ଜଣେ ନାବାଳିକା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓଟିରେ ଅଭିଯୁକ୍ତ ଜଣକ ଗୋଟିଏ ହାତରେ ନାବାଳିକାଙ୍କର କେଶକୁ ଧରିଥିଲା ବେଳେ ଅନ୍ୟ ହାତରେ ଠେଙ୍ଗାଟିଏ ଧରି ମାଡ଼ ମାରୁଛି ।

ସୂଚନା ମୁତାବକ ଜଣେ ୧୫-୧୬ ବର୍ଷର ନାବାଳିକା ଝିଅଟିଏ ଗୁଡ଼ିଆରୀ ପଣ୍ଡାବ ଇଲାକାର ବ୍ୟବସାୟୀ ଓଁକାର ତିୱାରୀଙ୍କ ଘରେ ସେବିକା କାମ କରୁଥିଲେ । କୌଣସି କାରଣରୁ କାମ ବନ୍ଦ କରିଦେବା ଓ ପାରିଶ୍ରମିକ ମାଗିବାରୁ ଓଁକାର ଭୀଷଣ ରାଗି ଯାଇଥିଲେ । ଆଜି ଝିଅଟିକୁ ବାଟରେ ଦେଖିବା ମାତ୍ରେ ତା’ ଚୁଟିକୁ ଟଣାଓଟରା କରିବା ସହ ଠେଙ୍ଗାରେ ପିଟିବାକୁ ଲାଗିଥିଲେ । ବାଟରେ ଯା’ଆସ କରୁଥିବା ଲୋକଙ୍କ ପ୍ରତିକ୍ରିୟାକୁ ଓଁକାର ଭ୍ରୁକ୍ଷେପ କରି ନଥିଲେ ।

ନାବାଳିକାଟି କୌଣସି ମତେ ଓଁକାରଙ୍କ କବଳରୁ ଖସି ଘରକୁ ପଳାଇଲେ । ଗୁରୁତର ନାବାଳିକାଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତି କରାଯାଇଛି । କୁହାଯାଉଛି ଓଁକାର ନିଶାସକ୍ତ ଥିଲାବେଳେ ନାବାଳିକାଙ୍କୁ ମାଡ଼ ମାରିଥିଲା । ରାୟପୁର ପୁଲିସ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ପୀଡ଼ିତାଙ୍କୁ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରାଯାଇଛି ।

ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଓଁକାର ତାଙ୍କ ଝିଅଟିକୁ ବିବାହ କରିବାକୁ ଚାହୁଁଥିଲା । ଝିଅଟି ଯଥେଷ୍ଟ ସାନ କହି ସେ ବିନମ୍ରତାର ସହ ବିବାହ ପ୍ରସ୍ତାବଟିକୁ ମନା କରିବାରୁ ଓଁକାର ରାଗି ଯାଇଥିଲେ । ଦୈବାତ୍‌ କ୍ରମେ ବାଟରେ ଝିଅଟିକୁ ଦେଖି ରାଗ ଶୁଝାଇଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।