ନିଶାପାଣି ପିଇ ପଢ଼ାଉଥିଲେ, ଚାକିରି ଗଲା
ଜଣେ ଶିକ୍ଷକଙ୍କ ଏତାଦୃଶ ବ୍ୟବହାର ଶିକ୍ଷା ଅଧିକାରୀଙ୍କୁ ଚିନ୍ତାରେ ପକାଇଥିଲା…
ନୂଆଦିଲ୍ଲୀ: ମାତାଲ ଅବସ୍ଥାରେ ପିଲାଙ୍କୁ ପାଠ ପଢ଼ାଇ ଜଣେ ଶିକ୍ଷକ ଚାକିରି ହରାଇଛନ୍ତି । ମଧ୍ୟପ୍ରଦେଶର ଖରଗୋନ ଅନ୍ତର୍ଗତ ଗୋଟିଏ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ବିଦ୍ୟାଳୟଟି ଖରଗୋନ୍ ଜିଲ୍ଲା ସଦର ମହକୁମାଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ । ନିଲମ୍ବିତ ଶିକ୍ଷକଙ୍କ ନାମ ସୌଭାଗ୍ୟ ସିଂ ଖାନ୍ନା ।
ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଆଭିମୁଖ୍ୟ ରଖି ଜିଲ୍ଲାପାଳ ଶିବରାଜ ସିଂ ବର୍ମା ଏକ ଅଭିଯାନର ଶୁଭାରମ୍ଭ କରିଥିଲେ । ତଦନୁଯାୟୀ ଝିରନ୍ୟା ପଂଚାୟତ ଶିକ୍ଷା ଅଧିକାରୀ ରୁଫାଟାସ୍ଥିତ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ନିଶାଖୋର ଶିକ୍ଷକ ସୌଭାଗ୍ୟ ପିଲାମାନଙ୍କୁ ପଢ଼ାଉଥିବାର ଦେଖିଥିଲେ ।
ଜଣେ ଶିକ୍ଷକଙ୍କ ଏତାଦୃଶ ବ୍ୟବହାର ଶିକ୍ଷା ଅଧିକାରୀଙ୍କୁ ଚିନ୍ତାରେ ପକାଇଥିଲା । ଅଧ୍ୟୟନରତ ପିଲାମାନଙ୍କର କିଛି ଅଭିଭାବକଙ୍କ ମୁହଁରୁ ସୌଭାଗ୍ୟଙ୍କର ଖାମଖିଆଲି ପାଠପଢ଼ା ସଂପର୍କରେ ଶୁଣିବା ପରେ ତାଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । କିଛିଦିନ ତଳେ ଜଣେ ପ୍ରଧାନଶିକ୍ଷକ ନିଶାଗ୍ରସ୍ତ ଅବସ୍ଥାରେ ପିଲାମାନଙ୍କୁ ପଢ଼ାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା ।