ଭୁବନେଶ୍ୱର: କ୍ଷମତାକୁ ଚାଲିଯିବା ପରେ ଜଣେ ବ୍ୟକ୍ତିର ଶିକ୍ଷା, ଦୀକ୍ଷା, ଜ୍ଞାନଗରିମା ଓ ଅଭିଜ୍ଞତା ପ୍ରତି କେହି ଗୁରୁତ୍ୱ ଦିଅନ୍ତି ନାହିଁ । ବିଶେଷ କରି ନିୟମିତ ତେଲଲୁଣ ସଂସାର ମାୟାରେ ପଡ଼ିଥିବା ଲୋକଟି ନିକଟରେ ସେଗୁଡ଼ିକର କୌଣସି ଗୁରୁତ୍ୱ ନଥାଏ । ସଂପୃକ୍ତ ବ୍ୟକ୍ତିଟି ନିକଟରେ ଚାଉଳ, ଡାଲି, ତେଲ, ଗହମ, ଆଳୁ, ପିଆଜ, ଅଦା, ରସୁଣ, ଅମୃତଭଣ୍ଡା, କଖାରୁ, ଚିନାବାଦାମ, ଗ୍ୟାସ୍, ବିଜୁଳି ଶୁଳ୍କ, ପେଟ୍ରୋଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ଦରଦାମ ଅତି ଗୁରୁତ୍ୱପୂର୍ଣ୍ଣ ।
କିଲୋ ଟଙ୍କାକରେ ଚାଉଳ ଯୋଗାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର କରୁଥିବା ଲୋକମାନେ ବାସ୍ତବ ସତ୍ୟ ଜାଣିବାକୁ ନାରାଜ । ସେମାନଙ୍କୁ ଦରକାର ଟଙ୍କାକରେ କିଲୋ ଚାଉଳ ।
ମୁଖ୍ୟମନ୍ତ୍ରୀଙ୍କ ଦୟାରୁ ଟଙ୍କାକରେ କିଲୋ ଚାଉଳ ନେଇ ପିଲାଙ୍କ ମୁହଁରେ ଭାତ ମୁଠାଏ ଦେବା ଗରିବ ବାପା-ମା’ଙ୍କର ଏକମାତ୍ର ଚିନ୍ତା । ସେଠି ପିଲାଟିର ଭବିଷ୍ୟତ କଥା ପଚାରେ କିଏ? ଗରିବ ବାପା-ମା’ ଦୃଷ୍ଟିରେ ଭଗବାନ ପାଲଟିଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କିନ୍ତୁ ଟଙ୍କାକରେ କିଲେ ଚାଉଳ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ ସଂପୃକ୍ତ ଗରିବ ପରିବାର ମୁଣ୍ଡରେ ୫୦ ହଜାର ଟଙ୍କାର ଋଣ ଲଦି ଦେଉଛନ୍ତି, ଏ କଥା ସେହି ଗରିବ ପରିବାର ମୁଣ୍ଡକୁ ଜୁଟିବ ନାହିଁ ।
କୌଣସି ଜାଣିବା ଶୁଣିବା ଲୋକଟିଏ ସେହି ବିଷୟ ପଚାରିଲେ, ଗରିବ ବାପା ମୁହଁରୁ ଜବାବ ମିଳିବ ଆମେ ସେଥିରୁ କ’ଣ ପାଇବୁ? ରାଇଜ ସରକାର କେତେ ଟଙ୍କା କୋଉଠୁ ଉଧାର ଆଣିଲେ, ଆମକୁ କେତେ ଦେଲେ, ଆମ ମୁଣ୍ଡରେ କେତେ ରଖିଲେ, ତା’ର ହିସାବ ନବୀନ ବାବୁକୁ ଜଣା? ସେ ଆଣୁଛନ୍ତି, ସେ ଦଉଛନ୍ତି । ଆମେ ଏତିକି ଜାଣିଛୁ, ଭୋଟ ଦେଉଥିବା ଯାଏ ନବୀନବାବୁଙ୍କ ଦୟାରୁ ଟଙ୍କାକରେ କିଲୋ ଚାଉଳ ପାଇବୁ ।