ଉପ-ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ମନିଷ ସିସୋଦିୟା

କୌଣସି କୁଚକ୍ରୀ ଗୋଷ୍ଠୀ ମୋତେ ଅବାଟକୁ ନେଇ ପାରିବନି…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ମନିଷ ସିସୋଦିୟା ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଥିବା ତିନିପୃଷ୍ଠାର ଇସ୍ତଫା ପତ୍ରରେ ସିସୋଦିୟା ତାଙ୍କ ବାପାଙ୍କ ପରାମର୍ଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି । ଇସ୍ତଫା ପତ୍ରର ସାରାଂଶ ହେଉଛି, ‘୮ ବର୍ଷ କାଳ ନିଷ୍ଠାର ସହିତ ମନ୍ତ୍ରୀ ଦାୟିତ୍ୱକୁ ନିର୍ବାହ କରିଛି । ଦିଲ୍ଲୀବାସୀ ମୋର ପ୍ରତ୍ୟେକ କାର୍ଯ୍ୟକୁ ଅତି ନିକଟରୁ ଦେଖିଛନ୍ତି ।

ମୁଁ ଷଷ୍ଠ ଶ୍ରେଣୀରେ ପଢୁଥିଲା ବେଳେ ମୋ’ ବାପା ଭଗବାନ ଶ୍ରୀକୃଷ୍ଣଙ୍କର ସୁନ୍ଦର ଫଟୋଟିଏ ଆଣି ମୋର ଶେଯ ସାମ୍ନାରେ ଟାଙ୍ଗି ଦେଇଥିଲେ । ଫଟୋଟିର ତଳେ ବାପା ଗୋଟିଏ ବାକ୍ୟ ଲେଖିଥିଲେ- ପ୍ରତ୍ୟେକ କାମକୁ ନିଷ୍ଠାର ସହ ତୁଲାଇବା ହିଁ କୃଷ୍ଣଙ୍କ ପୂଜା । ବାପା-ମା’ଙ୍କ ଲାଳନ ପାଳନ ମୋତେ ସାଧୁ, ସଚ୍ଚୋଟ ଓ ନିଷ୍ଠା ଶିଖାଇଛି । କୌଣସି କୁଚକ୍ରୀ ଗୋଷ୍ଠୀ ମୋତେ ଅବାଟକୁ ନେଇ ପାରିବନି । ମୋ ପ୍ରତି ଲଗା ଯାଇଥିବା ଅଭିଯୋଗଗୁଡ଼ିକ ତୁଚ୍ଛା ମିଛ । ମୋତେ ଫସାଇବା ପଛରେ ଅରବିନ୍ଦ କେଜ୍ରିୱାଲଙ୍କ ଦକ୍ଷ ଶାସନକୁ ଭୟ କରୁଥିବା କିଛି ରାଜନେତାଙ୍କ ହାତ ରହିଛି ।