ଠାଣେ: ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଏକ ଘରୋଇ ମଦ୍ରାସାରେ ଜଣେ ନାବାଳକକୁ ୭୦ ସେକେଣ୍ଡରେ ୭୦ ବେତ ମାରିଛନ୍ତି ଜଣେ ଶିକ୍ଷକ । ପିଲାଟିର ଭୁଲ ହେଉଛି, ଶିକ୍ଷକ ମନେ ରଖିବା ପାଇଁ ଦେଇଥିବା ପାଠକୁ ପିଲାଟି ମନେ ରଖି ପାରିଲାନି । ପିଲାଟି ଶିକ୍ଷକଙ୍କ ଉଚ୍ଚାରଣକୁ ଠିକ୍ ଭାବେ ଧରି ପାରିଲାନି ବୋଲି ଅଭିଭାବକଙ୍କୁ କହିଥିଲା ।ଘଟଣାଟି ୨୦୨୨ ନଭେମ୍ବର ସମୟର ।
କିନ୍ତୁ ତା’ର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଶିକ୍ଷକ ଜଣକ ୭୦ ସେକେଣ୍ଡରେ ନିରୀହ ପିଲାଟିକୁ ୭୦ ବେତ ପକାଇଛନ୍ତି । ମଦ୍ରାସାର ଟ୍ରଷ୍ଟି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେହି ଘଟଣା ପରଠାରୁ ଶିକ୍ଷକଙ୍କର କୌଣସି ଖୋଜ ଖବର ନାହିଁ । ସୂଚନା ମୁତାବକ ୨୦୨୨ ନଭେମ୍ବର ୨୪ ତାରିଖ ସକାଳେ ସବୁଦିନ ପରି ୧୪ ବର୍ଷର ନାବାଳକ ଭିବଣ୍ଡିସ୍ଥିତ ମଦ୍ରାସାକୁ ଯାଇଥିଲା ।
ଗୁଜରାଟ ନିବାସୀ ୩୨ ବର୍ଷୀୟ ଫୟାଦ ଭଗତ ନୁରୀ ଉକ୍ତ ମଦ୍ରାସାରେ ପିଲାଙ୍କୁ ପଢ଼ାଉଥିଲେ । ଦିନକ ପୂର୍ବରୁ ଫୟାଦ ପିଲାମାନଙ୍କୁ ପାଠ ମୁଖସ୍ଥ କରିବାକୁ କହିଥିଲେ । ତଦନୁଯାୟୀ ପିଲାଟିକୁ ପାଠ ଶୁଣାଇବାକୁ ଆଦେଶ ଦେଲେ ଫୟାଦ । ପିଲାଟି ଠିକ୍ ଭାବରେ ପାଠ ଶୁଣାଇ ପାରିଲାନି । କ୍ରୋଧରେ ଲାଲ ପଡ଼ିଗଲେ ଶିକ୍ଷକ । ପିଲାଟିକୁ କିଛି ନପଚାରି ଆରମ୍ଭ କରିଦେଲେ ମାଡ଼ ।
ସେଦିନର ଘଟଣାକୁ କେହି ଗୁରୁତ୍ୱ ଦେଲେନି । ମାତ୍ର ୨୦୨୩ ଫେବୃଆରୀ ୨୮ ତାରିଖରେ ସୋସିଆଲ ମିଡିଆରେ ପିଲାଟି ମାଡ଼ ଖାଉଥିବାର ଭିଡିଓ ଦେଖିବା ପରେ ମଦ୍ରାସା ପରିଚାଳକ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ନିଜାମପୁର ଥାନାରେ ମାମଲା ରୁଜୁ କରିଥିଲେ । ଥାନାରେ ମାମଲା ରୁଜୁ ହେବା ପରଠାରୁ ଅଭିଯୁକ୍ତ ଶିକ୍ଷକଙ୍କର ଦେଖାଦର୍ଶନ ନାହିଁ ।