ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ପ୍ରତି ଚାଲିଥିବା ଅଭଦ୍ରାମି ଏବେ ରେଳ କର୍ମଚାରୀଙ୍କୁ ଗ୍ରାସ କରିଛି । ରବିବାର ଅକାଲ ତଖ୍ତ ଏକ୍ସପ୍ରେସରେ ନିଶାଗ୍ରସ୍ତ ଅବସ୍ଥାରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଭିଯୁକ୍ତ ଟିଟିଇ ମୁନ୍ନା କୁମାରକୁ ଚାକିରିରୁ ବହିଷ୍କାର କରିଛନ୍ତି । ଅଭିଯୁକ୍ତ ମୁନ୍ନାକୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଛି । ଆଇପିିସି ଧାରା ୩୫୪-ଏ, ୩୫୨ ଓ ୫୦୯ ଆଧାରରେ ମାମଲା ରୁଜୁ କରାଯାଇଛି ।
ଅଭିଯୁକ୍ତ ଟିଟିଇ ଏଭଳି କାରନାମା କରିଥିଲା ବେଳେ ଡ୍ୟୁଟିରେ ନଥିଲେ ବୋଲି ଶୁଣିବାକୁ ମିଳୁଛି । ଖବରଟି ମିଡିଆରେ ପ୍ରସାରିତ ହେବାକ୍ଷଣି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୀବ୍ର ଅସନ୍ତୋଷ ପ୍ରକଟ କରିଥିଲେ । ସେ ଟ୍ୱିଟ୍ କରିଥିଲେ, ଯାତ୍ରୀଙ୍କ ପ୍ରତି ରେଳ କର୍ମଚାରୀଙ୍କ ଏଭଳି ବ୍ୟବହାରକୁ କଦାପି ବରଦାସ୍ତ କରାଯିବନି । ଅଭିଯୁକ୍ତ ଟିଟିଇ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।