ନୂଆଦିଲ୍ଲୀ: ଗତ ଜାନୁଆରୀ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଫିରୋଜପୁର ଗସ୍ତ କାଳରେ ତାଙ୍କ କାର ପଟୁଆରକୁ ପ୍ରାୟ ୨୦ ମିନିଟ୍ ପାଇଁ ଅସୁରକ୍ଷିତ ଅଂଚଳରେ ଅଟକିବାକୁ ପଡ଼ିଥିଲା । ପଞ୍ଜାବ ସରକାରଙ୍କ ଢିଲା ସୁରକ୍ଷା ବ୍ୟବସ୍ଥା ପ୍ରତି ଗଭୀର ଅସନ୍ତୋଷ ପ୍ରକଟ କରି କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ଆଜି ସେ ସଂପର୍କୀତ ରିପୋର୍ଟ ଦାଖଲ କରାଯାଇଛି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ପଞ୍ଜାବର ମୁଖ୍ୟ ଶାସନ ସଚିବ ବିକେ ଜଂଜୁଆ ।
ଶ୍ରୀ ଜଂଜୁଆ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର ପଟୁଆର ପ୍ରତି ଅବହେଳା ପ୍ରଦର୍ଶନ ଅଭିଯୋଗରେ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ । ଦାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ କାଟି ଦିଆଯିବ । ଜଂଜୁଆ ଏହା ମଧ୍ୟ କହିଛନ୍ତି ଯେ ଦଣ୍ଡ ବିଧାନ ପୂର୍ବରୁ ଦୋଷୀ ଅଧିକାରୀଙ୍କୁ ସଫେଇ ପାଇଁ ଅନ୍ତିମ ସୁଯୋଗ ଦିଆଯିବ । ପ୍ରଥମେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାର ନାହିଁ । ରାଜ୍ୟ ସରକାର ଡିଜିପିଙ୍କ ସମେତ ୯ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
କଥା ଆଜିର ନୁହେଁ । ୨୦୨୨ ଜାନୁଆରୀ ୫ ତାରିଖ ଦିନ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ବଠିଣ୍ଡାରେ ପହଂଚିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ହୁସୈନିବାଲାରେ ପ୍ରତିଷ୍ଠିତ ରାଷ୍ଟ୍ରୀୟ ସହିଦ ସ୍ମାରକୀ ପୀଠକୁ ଯିବାର ଥିଲା । ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ କାରଣରୁ ପ୍ରଧାନମନ୍ତ୍ରୀ ପ୍ରାୟ ୨୦ ମିନିଟ୍ କାଳ ଅପେକ୍ଷା କଲେ । ପାଗ ପରିବର୍ତନ ହେବାର ଲକ୍ଷଣ ଦେଖା ନଯିବାରୁ ମୋଦୀଜୀ ସଡ଼କ ମାର୍ଗରେ ସ୍ମାରକ ପୀଠକୁ ଯିବା ପାଇଁ ନିଷ୍ପତି ନେଲେ । ତଦନୁଯାୟୀ ପ୍ରଧାନମନ୍ତ୍ରୀ ନିର୍ଦ୍ଧାରିତ ସମୟଠାରୁ ଦୁଇଘଂଟା ବିଳମ୍ବରେ ସ୍ମାରକ ପୀଠ ପହଂଚିଥାନ୍ତେ ।
ସ୍ମାରକ ପୀଠ ନିକଟରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏକ ଫ୍ଲାଇ ଓଭରରେ ପ୍ରଧାନମନ୍ତ୍ରୀଙ୍କ କାର ପଟୁଆର ଅଟକି ଯାଇଥିଲା । ଫ୍ଲାଇ ଓଭର ଶେଷମୁଣ୍ଡରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ ୨୦ ମିନିଟ୍ କାଳ ଅସୁରକ୍ଷିତ ପରିବେଶରେ ରହିବାକୁ ପଡ଼ିଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ବିଜେପି ପ୍ରବଳ ହଙ୍ଗାମା କରିଥିଲା ।