ଅଦାନୀ ସହ ପ୍ରଧାନମନ୍ତ୍ରୀଙ୍କ ସଂପର୍କ କ’ଣ?

ଅଦାନୀ ସହିତ ପ୍ରଧାନମନ୍ତ୍ରୀ ମୋଦୀ କି ସଂପର୍କ..

ନୂଆଦିଲ୍ଲୀ: ଇଂଲଣ୍ଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ଆଳ କରି ଭାରତରେ ବିଜେପି ବୋବାଲ କରୁଛି । ବିଜେପିର କିଛି ବରିଷ୍ଠ ନେତା ଅଭିଯୋଗ କରୁଛନ୍ତି ଯେ ରାହୁଲ ବିଦେଶକୁ ଯାଇ ଭାରତର ବଦନାମ କରୁଛନ୍ତି । ସେ ଦେଶବାସୀଙ୍କ ନିକଟରେ ଅକ୍ଷମଣୀୟ ଅପରାଧ କରିଛନ୍ତି । ରାହୁଲ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ଇତ୍ୟାଦି ଇତ୍ୟାଦି । କଂଗ୍ରେସର କିଛି ବରିଷ୍ଠ ନେତା ଦମ୍ଭର ସହିତ ପ୍ରତିକ୍ରିୟାରେ କହିଚନ୍ତି ଯେ ରାହୁଲ ସେଭଳି କିଛି ଗୁରୁତର ଅପରାଧ କରିନାହାନ୍ତି । ସେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ।

ବିଜେପି ଓ କଂଗ୍ରେସର ଏଭଳି ବିତଣ୍ଡା ଚାଲିଥିବା ଭିତରେ ଗୁରୁବାର ରାହୁଲ କହିଛନ୍ତି ଯେ ସେ ତାଙ୍କ ଭାଷଣରେ ସେଭଳି କିଛି ମନଗଢ଼ା କାହାଣୀ କହିନାହାନ୍ତି । ବିଭିନ୍ନ ଗଣମାଧ୍ୟମରୁ ଯେଉଁସବୁ ତଥ୍ୟ ପାଇଛନ୍ତି, ତାକୁ ହିଁ ଗୁରୁତ୍ୱ ଦେଇଛନ୍ତି । କଥା ହେଉଛି ଯେ ଅଦାନୀ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଏଡ଼ାଇ ଯାଉଛନ୍ତି, ତାହା ରାହୁଲ ଜାଣିବାକୁ ଚାହୁଁଛନ୍ତି । ଅଦାନୀ ସହିତ ପ୍ରଧାନମନ୍ତ୍ରୀ ମୋଦୀ କି ସଂପର୍କ ରଖିଛନ୍ତି; ତାହା ସମସ୍ତଙ୍କୁ ଜଣାଇବା ପାଇଁ କହିଛନ୍ତି ରାହୁଲ ।

ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଏହି ବିଷୟ ଉଠାଇବା ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଭାରତର ସଂସଦରେ ଏହି ପ୍ରଶ୍ନ ପଚାରିବାକୁ ସୁଯୋଗ ଦିଆଯିବନି; ତେଣୁ ସେ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି।

ରାହୁଲ କହିଛନ୍ତି, ଅଦାନୀଙ୍କୁ ଶ୍ରୀଲଙ୍କା, ବାଂଲାଦେଶ ଓ ଅଷ୍ଟ୍ରେଲିଆରେ ବଡ଼ ବଡ଼ ପ୍ରକଳ୍ପ ମିଳିଯାଉଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି; ସେ ବିଷୟରେ ମୋଦୀଜୀ ଦେଶବାସୀଙ୍କୁ କିଛି ଜଣାଇବାକୁ ଚାହୁଁନାହାନ୍ତି । ରାହୁଲଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଗଲେ, ସେ ସଂପୃକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ ନିଶ୍ଚିତ ।