ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରିଛନ୍ତି । ପ୍ରଥମ ପୁରସ୍କାର ପାଇଛନ୍ତି ସ୍ଥପତି ବାଲକୃଷ୍ଣ ଜୋଷୀ । ତାଙ୍କ ପୁତ୍ରୀ ରାଷ୍ଟ୍ରପତିଙ୍କଠାରୁ ପଦ୍ମ ବିଭୂଷଣ ସମ୍ମାନ ଗ୍ରହଣ କରିଛନ୍ତି । ଉଦ୍ୟୋଗ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟବସାୟୀ କୁମାର ମଙ୍ଗଳମ୍ ବିର୍ଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି ।
ବିର୍ଲା ପରିବାରର ଚତୁର୍ଥ ବ୍ୟକ୍ତି ଭାବେ କୁମାର ମଙ୍ଗଳମ ସମ୍ମାନୀତ ହୋଇଛନ୍ତି । ପଣ୍ଡୱାନୀ ଗାୟିକା ଉଷାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ସମ୍ମାନ ଗ୍ରହଣ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଣ୍ଡବତ କରିଥିଲେ । ତା’ପରେ ସେ ରାଷ୍ଟ୍ରପତିଙ୍କର ପାଦ ଛୁଇଁ ସମ୍ମାନ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ ସମାରୋହରେ ଉପସ୍ଥିତ ଥିଲେ ।
ପଦ୍ମ ବିଭୂଷଣ ସମ୍ମାନ ଲାଭ କରିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ହେଉଛନ୍ତି ମହାରାଷ୍ଣ୍ରର ଶିଳ୍ପୀ ଜାକିର ହୁସେନ୍, କର୍ଣ୍ଣାଟକର ଏସ୍ଏମ୍ କ୍ରିଷ୍ଣା, ପଶ୍ଚିମବଙ୍ଗର ଦିଲୀପ ମହାଲନବୀସ (ମରଣୋତର), ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଶ୍ରୀନିବାସ ବାରାଧନ ଓ ୟୁପି ରାଜନେତା ମୁଲାୟମ ସିଂ ଯାଦବ (ମରଣୋତର) । ଚଳିତ ବର୍ଷ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଓ ୯୧ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଛି ।
ଏଠାରେ ଜଣାଇ ଦିଆଯାଉଛି କି ୧୯୫୪ରେ ଦେଶର ବିଶିଷ୍ଟ ଜନତାଙ୍କୁ ଭାରତରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ଦିଆଯାଉଛି । ପୁରସ୍କାର ଘୋଷଣା ଜାନୁଆରୀ ୨୬ ତାରିଖ ଦିନ କରାଯାଇଥାଏ କିନ୍ତୁ ମାର୍ଚ୍ଚ-ଏପ୍ରିଲରେ ରାଷ୍ଟ୍ରପତି ଭବନରେ ସମ୍ମାନୀତ କରାଯାଏ । ଭାରତର ଏକମାତ୍ର କ୍ରୀଡ଼ାବିତ୍ କ୍ରିକେଟିୟର ସଚିନ ତେନ୍ଦୁଲକର ଭାରତରତ୍ନ ପାଇଛନ୍ତି ।