ଭୁବନେଶ୍ୱର: ଶତାଧିକ ଆଉସ୍ସୋର୍ସିଂ କର୍ମଚାରୀ ଆଜି ମାଷ୍ଟର କ୍ୟାଂଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାକିରିର ସ୍ଥାୟୀତ୍ୱ ଓ ଦରମା ବୃଦ୍ଧି ଦାବିରେ ଏକାଧିକବାର ରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ନବୀନ ସରକାର ସେମାନଙ୍କ ପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ବିକ୍ଷୋଭରେ ସାମିଲ ଯୁବକ ଯୁବତୀମାନେ ଅଭିଯୋଗ କରିଛନ୍ତି ।
ଶନିବାର ଶତାଧିକ ଯୁବକ ଯୁବତୀଙ୍କର ଏକ ଶୋଭାଯାତ୍ରା ଲୋୟର ପିଏମ୍ଜି ଆଡ଼କୁ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା । ଏଥର ଦାବି ପୂରଣ ନହେବା ଯାଏ ଆଉଟ୍ସୋର୍ସିଂ କର୍ମଚାରୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।
ଜନୈକ ଆନ୍ଦୋଳନକାରୀ କହିଛନ୍ତି, ୨୦୧୮ରୁ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛୁ । ସରକାର ପ୍ରତିଥର ଆମକୁ ସାନ୍ତ୍ୱନା ଦେଉଛନ୍ତି । ଆମ ପ୍ରତି ସୁବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ମାତ୍ର କିଛି କରୁନାହାନ୍ତି । ଆମ ଚାକିରିକୁ ନିୟମିତ କରୁନାହାନ୍ତି କି ଦରମା ବୃଦ୍ଧି କରୁନାହାନ୍ତି ।
ଗତ ନଭେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାସକ ଭିତରେ ଆମ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଚାରିମାସ ବିତିଗଲାଣି ଅଥଚ ଦାବି ପୂରଣ କରିବାର ଲକ୍ଷଣ ପ୍ରକାଶ ପାଉନି । ଏବେ ଆଉ ପଛକୁ ହଟିବାର ନାହିଁ । ସରକାର ବାରମ୍ବାର ଆମକୁ ପ୍ରତାରିତ କରୁଛନ୍ତି । ପ୍ରତାରଣା ବ୍ୟତୀତ ଏ ସରକାରଙ୍କଠାରୁ ଆମକୁ କିଛି ମିଳୁନାହିଁ । ଏବେ ଦାବି ପୂରଣ ନହେବା ଯାଏ ରାଜରାସ୍ତାରେ ବସିଲୁ ।