ବଲାଙ୍ଗିର: ହଜାର ହଜାର ଟଙ୍କା ଦେଇ ଯୁବକ ଯୁବତୀଙ୍କୁ ଜାଲ ସାର୍ଟିଫିକେଟ୍ ଯୋଗାଉଥିବା ଅଭିଯୋଗରେ ବଲାଙ୍ଗିର ପୁଲିସ ଗୋଟିଏ କୋଚିଂ ସେଂଟର ମାଲିକଙ୍କ ସମେତ ଦୁଇଜଣଙ୍କୁ ଥାନାରେ ଅଟକ ରଖିଛି । ସେମାନଙ୍କ ନିକଟରୁ ବହୁ ନାମୀଦାମୀ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ୍ ଜବତ କରାଯାଇଛି ।
ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା କିଛି କର୍ମଚାରୀ ଗୋଟିଏ କୋଚିଂ ସେଂଟର ମାଲିକଙ୍କ ନିକଟରୁ କିଛି ସାର୍ଟିଫିକେଟ୍ ହାସଲ କରିଥିଲେ । ଲୋକପ୍ରିୟ ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍ ଯୋଗାଡ଼ କରିବାର ଆଶା ଦେଖାଇ ଅଭିଯୁକ୍ତ ସଂପୃକ୍ତ କର୍ମଚାରୀଙ୍କଠାରୁ ହଜାର ହଜାର ଟଙ୍କା ନେଇଥିଲେ । ପରେ ଡାକ ବିଭାଗ ସଂପୃକ୍ତ ସାର୍ଟିଫିକେଟ୍ ଯାଂଚ କରିବା ପାଇଁ ବଲାଙ୍ଗିର ପୁଲିସକୁ ଅନୁରୋଧ କରିଥିଲେ । ବଲାଙ୍ଗିର ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ସଂପୃକ୍ତ ଘଟଣାର ତଦନ୍ତ କରି ଡାକ ବିଭାଗ ଦେଇଥିବା ସବୁ ସାର୍ଟିଫିକେଟ୍ ନକଲି ବୋଲି ଜାଣିବାକୁ ପାଇଥିଲା ।
ପୁଲିସ କୋଚିଂ ସେଂଟରରୁ କିଛି ସାଦା ସାର୍ଟିଫିକେଟ୍, ମାର୍କସିଟ୍, ଭେରିଫିକେସନ୍ ସାର୍ଟିଫିକେଟ୍, କିଛି ଶିକ୍ଷାନୁଷ୍ଠାନ ଷ୍ଟାମ୍ପ ଓ ସିଲ୍ ଜବତ କରିବା ପରେ ସିଲ କରିଛନ୍ତି । ପୁଲିସ ହାତରେ ଏକ ଡାଏରୀ ପଡ଼ିଛି ଯୋଉଥିରେ କୋଉ ବ୍ୟକ୍ତି ସାର୍ଟିଫିକେଟ୍ ପାଇଁ କେତେ ଟଙ୍କା ଦେଇଛି; ସେ ସଂପର୍କରେ ଲିପିବଦ୍ଧ ରହିଛି ।
ବଲାଙ୍ଗିର ଉପଜିିଲ୍ଲାପାଳଙ୍କ ସୂଚନା ଅନୁଯାଇ, ୨୦୨୨ରେ ଡାକ ବିଭାଗର ୮୩ଟି ଶାଖା ପାଇଁ ପୋଷ୍ଟମାଷ୍ଟର, ଆସିଷ୍ଟାଂଟ ପୋଷ୍ଟମାଷ୍ଟର, ଡାକସେବକ ପଦବୀ ପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୩୭ ଜଣ ଚାକିରି ଆଶାୟୀ ୟୁପିସ୍ଥିତ ଏକ ଶିକ୍ଷାନୁଷ୍ଠାନରୁ ମାଟ୍ରିକ ସାର୍ଟିଫିକେଟ୍ ଆଣି ଦାଖଲ କରିଥିଲେ । ନକଲି ସାର୍ଟିଫିକେଟ୍ ବଳରେ ଚାକିରି କରିଥିବା କିଛି ଡାକ କର୍ମଚାରୀ ଇତିମଧ୍ୟରେ ନିଖୋଜ ଥିବାର ଜଣାପଡ଼ିଛି । ଅଭିଯୁକ୍ତ ଲୋକମାନେ ବିଜେଡିର କର୍ମୀ ବୋଲି ଶୁଣିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।