ଲଣ୍ଡନରେ ତ୍ରିରଙ୍ଗା ଅପରାଧୀ ହିଁ ଅମୃତପାଲକୁ ଭାରତ ପଠାଇଛି

ଜୋରଦାର ହେବ କି ଖଲିସ୍ତାନୀ ଆନ୍ଦୋଳନ..

ମାର୍ଚ୍ଚ ୧୯ ତାରିଖ ଦିନ ଭାରତୀୟ ଦୂତାବାସ ସାମ୍ନାରେ ଶତାଧିକ ବ୍ୟକ୍ତି ହାତରେ ଖଲିସ୍ତାନୀ ପତାକା ଓ ପୋଷ୍ଟର ଧରି ଏକଜୁଟ ହୋଇଥିଲେ । ପୋଷ୍ଟରରେ ‘ଫ୍ରି ଅମୃତପାଲ ସିଂ’, ‘ଉଇ ୱାଂଟ ଜଷ୍ଟିସ୍‌’, ‘ୱି ଷ୍ଟାଣ୍ଡ ୱିଥ୍‌ ଅମୃତପାଲ ସିଂ’ ଲେଖା ଯାଇଥିଲା । ଦେଖୁଦେଖୁ ବିକ୍ଷୋଭ ପ୍ରଦର୍ଶନକାରୀମାନେ ଉଗ୍ର ହୋଇଉଠିଲେ । ଜଣେ ଆନ୍ଦୋଳନକାରୀ ଦୂତାବାସରେ ଲଗା ଯାଇଥିବା ତ୍ରିରଙ୍ଗା ଖୋଲିବାକୁ ଉଦ୍ୟମ କରିଥିଲା । ଲଣ୍ଡନ ଘଟଣାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ କିଛି ବ୍ରିଟିଶ ଭାରତୀୟଙ୍କ ବିରୋଧରେ ୟୁଏପିଏ, ପିପିଡିଏ ଓ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ମାମଲାରେ କୌଣସି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇନି । କିନ୍ତୁ ଲଣ୍ଡନ ପୁଲିସ ଭାରତୀୟ ଦୂତାବାସ ଘଟଣାରେ ଅବତାର ସିଂ ଖାଂଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ଅବତାର ସିଂ ଖାଂଡା ପଞ୍ଜାବର ମୋଗା ଜିଲାର ବାସିନ୍ଦା । ୧୯୮୮ରେ ରୋଡେ ଗାଁ ସ୍ଥିତ ଭିଣ୍ଡରୱାଲେଙ୍କ ଘରେ ଖାଂଡା ଜନ୍ମ ହୋଇଥିଲା । ଖାଂଡା ପ୍ରଥମେ ଆର୍ଯ୍ୟ ସମାଜ ପରିଚାଳିତ ସ୍କୁଲରେ ପଢୁଥିଲା । ତା’ର ବାପାଙ୍କ ନାମ ଖଲିସ୍ତାନୀ ଆନ୍ଦୋଳନ ସହ ଜଡ଼ିତ ଥିବାରୁ ପୁଲିସ ଅନେକ ସମୟରେ ତାଙ୍କ ଘରକୁ ଯା’ଆସ କରୁଥିଲା । ସେହି କାରଣରୁ ଖାଂଡା ପରିବାର ଭିନ୍ନ ଭିନ୍ନ ସମୟରେ ଘର ବଦଳାଇ ରହୁଥିଲେ ।

୧୯୮୮ରେ ଖାଂଡାର କାକା ବଲବନ୍ତ ସିଂ ଖୁକରାନାକୁ ପୁଲିସ ଏନକାଉଂଟରରେ ମାରିଦେଲା । ଖାଂଡା ଜନ୍ମ ହେବାର ୩ ବର୍ଷ ପରେ ୧୯୯୧ ମାର୍ଚ୍ଚ ୩ ତାରିଖରେ ପୁଲିସ ତା’ର ବାପା କୁଲବନ୍ତ ସିଂ ଖୁକରାନାକୁ ମଧ୍ୟ ଏନକାଉଂଟରରେ ମାରିଦେଲା । ଅବତାର ସିଂ ଖାଂଡାର ବାପା ଓ କାକା ଖଲିସ୍ତାନୀ ସମର୍ଥକ ଥିଲେ । ଅବତାରର ମା’ ଗୁରଜନ୍ତ ସିଂ ବୁଧସିଂବାଲା ଖଲିସ୍ତାନୀ ଲିବରେସନ୍‌ ବାହିନୀର ମୁଖ୍ୟ ଥିଲେ । ୨୨ ବର୍ଷ ବୟସରେ ଖାଂଡା ପାଠ ପଢ଼ିବା ପାଇଁ ବ୍ରିଟେନ୍‌ ଗଲା । ସେଠାରେ ଖଲିସ୍ତାନ ସମର୍ଥକଙ୍କ ସହ ମିଳାମିଶା କଲା । ପରେ ଖଲିସ୍ତାନ ଆନ୍ଦୋଳନରେ ଝାସ ଦେଲା ।

ଅବତାର ସିଂ ଖାଂଡା କ୍ରମେ ଅକାଳୀ ଦଳ (ମାନ)ରେ ଯୋଗଦାନ କଲା । କିଛିଦିନ ପରେ ସେହି ସଂଗଠନର ଯୁବମୋର୍ଚ୍ଚାର ନେତା ବନିଗଲା । ଏହାର କିଛିଦିନ ପରେ ଭାରତ ସରକାର ଖାଂଡାକୁ ଦେଶଦ୍ରୋହୀ ଦର୍ଶାଇ ସେ ଯୁବକମାନଙ୍କୁ ଆତଙ୍କୀ ତାଲିମ ପ୍ରଦାନ କରୁଥିବା ପ୍ରଚାର କଲେ । ଖଲିସ୍ତାନୀ ଆତଙ୍କୀ ଜଗତାର ସିଂହ ତାରା ଓ ପରମଜିତ ସିଂ ପମ୍ମାଙ୍କ ସହ ଅବତାରର ଘନିଷ୍ଠ ସଂପର୍କ ରହିଛି । ପମ୍ମା ଖଲିସ୍ତାନ ଟାଇଗର ବାହିନୀର ମୁଖିଆଙ୍କ ଭିତରୁ ଜଣେ । ସେ ଭାରତ ସରକାରଙ୍କ ମୋଷ୍ଟ ୱାଂଟେଡ୍‌ ତାଲିକାରେ ରହିଛି । ୨୦୧୫ରେ ଅବତାର ତା’ର ଭଉଣୀର ବିବାହ କାର୍ଯ୍ୟରେ ଯୋଗଦାନ କରିବାକୁ ଭାରତ ଆସିଥିଲା । ମାତ୍ର ଭାରତ ସରକାରଙ୍କ ଦେଶଦ୍ରୋହୀ ତାଲିକାରେ ତା’ର ନାମ ଥିବାରୁ ସେ ଭଉଣୀ ବାହାଘରରେ ଯୋଗଦାନ କରି ନପାରି ପଳାଇଲା । ଏକ ସାକ୍ଷାତକାରରେ ଅବତାର କହିଛି, ସେ ଭାରତକୁ ଫେରିବାକୁ ଚାହୁଁଛି । ୨୦୧୦ ପରେ ସେ ତା’ର ମା’କୁ ଦେଖିପାରିନି । ଭିଣ୍ଡରୱାଲା ଓ ତାଙ୍କ ପରିବାର ଭିତରେ ଘନିଷ୍ଠ ସଂପର୍କ ରହିଛି ।

କୁହାଯାଉଛି, ଏବେ ପଞ୍ଜାବ ପୁଲିସକୁ ଚକ୍‌ମା ଦେଖାଇ ବୁଲୁଥିବା ଖଲିସ୍ତାନୀ ନେତା ଅମୃତପାଲ ସିଂକୁ ଅବତାର ହିଁ ତାଲିମ ପ୍ରଦାନ କରି ଭାରତକୁ ପଠାଇଛି । ଅମୃତପାଲ ଜରିଆରେ ଭାରତରେ ଖଲିସ୍ତାନୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଅବତାର ଉଦ୍ୟମ କରୁଛି ।