ଯାତ୍ରୀଙ୍କଠାରୁ ବସ୍‌ ଭଡ଼ା ଅଧିକ ଆଦାୟ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର (ଏସ ନ୍ୟୁଜ ) : ଭୁବନେଶ୍ୱର ଆରଟିଓ ପକ୍ଷରୁ ୮ଟି ବସ ଜବତ । ପରମିଟ୍ ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଗତକାଲି ୮ଟି ବସ୍‌କୁ ଜବତ କରାଯାଇଛି। ଗତ ଜୁଲାଇ ପହିଲାରେ ଯେଉଁ ବସ୍‌ ଭଡା ରାଜ୍ୟ ସରକାର ସ୍ଥିର କରିଥିଲେ ତାହା ଅପରିବର୍ତ୍ତିତ ରହିଛି । ହେଲେ ଏହାକୁ ଅବମାନନା କରି ରାଜ୍ୟରେ କିଛି ବସ୍ ମାଲିକ ଅଧିକ ଭଡା ଆଦାୟ କରୁଛନ୍ତି। ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ।

ଯାତ୍ରୀମାନଙ୍କଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ କରୁଛି। ତେଣୁ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଆରଟିଓ ଭୁବନେଶ୍ୱର ୧ ଓ ୨ ପକ୍ଷରୁ ମିଳିତ ଭାବେ ଏହି ଚଢଉ କରାଯାଇଥିଲା।

ସୂଚନା ଅନୁସାରେ, ଗତ ଜୁଲାଇ ପହିଲାରେ ରାଜ୍ୟ ସରକାର ସ୍ଥିର କରିଥିବା ବସ୍‌ ଭଡା ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । କିଲୋମିଟର ପିଛା ଅର୍ଡିନାରୀ ବସ୍ ପାଇଁ ୭୨ ପଇସା, ଏକ୍ସପ୍ରେସ ପାଇଁ ୭୫ ପଇସା, ଡିଲକ୍ସ ପାଇଁ ୧୦୫ ଓ ଏସି ଡିଲକ୍ସ ପାଇଁ ୧୨୭ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି । ତେଣୁ ନିର୍ଦ୍ଧାରିତ ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ଏହାକୁ ଖିଲାପ କରି ଯାତ୍ରୀଙ୍କଠାରୁ ଅଧିକ ଭଡ଼ା କରି ସେମାନଙ୍କୁ ଶୋଷଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର।