ନୂଆଦିଲ୍ଲୀ: ପଞ୍ଜାବରେ ପଳାତକ ଘୋଷିତ ଅମୃତପାଲ ସିଂ ଏ ପର୍ଯ୍ୟନ୍ତ ପୁଲିସ ହାତରେ ଧରାପଡ଼ିନି । ନିୟମିତ ଭାବେ ତା’ର ବିଭିନ୍ନ ଫଟୋ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏମିତି ଏକ ଭିଡିଓ ଦିଲ୍ଲୀର ମଧୁବିହାର ଇଲାକାରୁ ସାମ୍ନାକୁ ଆସିଛି ଯୋଉଥିରେ ଅମୃତପାଲକୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ଭିଡିଓଟି ମାର୍ଚ୍ଚ ୨୧ ତାରିଖର ବୋଲି କୁହାଯାଉଛି ।
ଭିଡିଓଟିରେ ଖଲିସ୍ତାନୀ ନେତା ଅମୃତପାଲ ତା’ର ଲମ୍ବକେଶକୁ କାଟି ଛୋଟ କରିଦେଇଛି । ପଗଡ଼ି ହଟାଇ ନୂଆ ଚେହେରାରେ ବୁଲୁଛି । ତା’ର ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି । ଅମୃତପାଲ ସହିତ ଫେରାର ହୋଇଥିବା ସାଥୀ ପପଲପ୍ରୀତ ମଧ୍ୟ ପାଖେପାଖେ ରହୁଛି ।
ସୋମବାର ତା’ର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା ଯୋଉଥିରେ ଅମୃତପାଲ ଓ ତା’ ସାଥୀ ପପଲପ୍ରୀତ ସେଲ୍ଫି ଉଠାଇଥିଲେ । ସେଲ୍ଫିରେ ଅମୃତପାଲ ହାତରେ ଡ୍ରିଙ୍କ କ୍ୟାନ୍ ରହିଛି । ଉକ୍ତ ସେଲ୍ଫିଟି କୋଉଠି ଉଠାଇଥିଲେ ତା’ ଅସ୍ପଷ୍ଟ ରହିଛି । ଭାଇରାଲ ଫଟୋରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ପଞ୍ଜାବ ପୁଲିସର ତନାଘନା ପ୍ରତି ଅମୃତପାଲ ମନରେ ଡର ନାହିଁ । ଅମୃତପାଲ ବେଶ ଷ୍ଟାଇଲର ସହ ମହରୁନ ପଗଡ଼ି, କଳା ଚଷମା, ଗଳାରେ ମୁଖା ଲଟକାଇ ବୁଲୁଛି ।