ୱାସିଂଟନ: ଟ୍ରମ୍ପଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ବଢିବାରେ ଲାଗିଛି । ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ କ୍ଷମତା ଆସୁନାହାନ୍ତି । ମିଳିଥିବା ଖବର ଅନୁଯାୟୀ ନିର୍ବାଚନରେ ପରାସ୍ତ ହେବା ପରେ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ପତ୍ନୀ ମେଲାନିଆ । ଟ୍ରମ୍ପଙ୍କ ପ୍ରଶାସନର ଜଣେ ସହଯୋଗୀଙ୍କ କହିବା ଅନୁଯାୟୀ ମେଲାନିଆ ଏବେ ଦିନ ଗଣୁଛନ୍ତି । ଟ୍ରମ୍ପ ହ୍ୱାଇଟ ହାଉସ ଛାଡ଼ିବା ପରେ ମେଲାନିଆ ତାଙ୍କୁ ଛାଡ଼ପତ୍ର ଦେବେ । ରବିବାର ବ୍ରିଟେନର ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମେଲାନିଆଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଷ୍ଟିଫାନେ ୱକଲଫ ଏହି ଦାବି କରିଛନ୍ତି । ଷ୍ଟିଫାନେ କହିଛନ୍ତିି ଯେ, ଟ୍ରମ୍ପ ଓ ମେଲାନିଆଙ୍କ ସମ୍ପର୍କ ଦେବା ନେବା ମଧ୍ୟରେ ସୀମିତ ଥିଲା । ହ୍ୱାଇଟ ହାଉସରେ ଉଭୟଙ୍କର ଅଲଗା ଶୋଇବା କୋଠରୀ ଥିଲା ।

ଅନ୍ୟତମ ପୂର୍ବତନ ସହଯୋଗୀ ଓମାରୋସୀ ମାନିଗଲ ନୁ୍ୟମାନ କହିଛନ୍ତି ଯେ ଟ୍ରମ୍ପ ଓ ମେଲାନିଆଙ୍କ ୧୫ ବର୍ଷର ବୈବାହିକ ସମ୍ପର୍କ ଶେଷ ହେବାକୁ ଯାଉଛି । ଟ୍ରମ୍ପ ରାଷ୍ଟ୍ରପତି ପଦରୁ ହଟିବା ମାତ୍ରେ ମେଲାନିଆ ତାଙ୍କୁ ଛାଡ଼ପତ୍ର ଦେବେ । ୫୦ ବର୍ଷୀୟ ମେଲାନିଆ କହିଛନ୍ତି ଯେ ଛାଡପତ୍ର ପରେ ସେ ଟ୍ରମ୍ପଙ୍କ ସମ୍ପର୍କରେ କୌଣସି ଆପତ୍ତିଜନକ ମନ୍ତବ୍ୟ ଦେବେ ନାହିଁ। ମେଲାନିଆ ହେଉଛନ୍ତି ଟ୍ରମ୍ପଙ୍କର ତୃତୀୟ ପତ୍ନୀ। ୧୯୯୮ ମସିହା ନ୍ୟୁୟର୍କ ଟାଇମ୍ସ ସ୍କେ୍ୱୟାର ଠାରେ ଏକ ଫ୍ୟାଶନ ଶୋ’ ପାର୍ଟିରେ ଡୋନାଲ୍ଡ ଓ ମେଲାନିଆଙ୍କ ସାକ୍ଷାତ ହୋଇଥିଲା । ୨୦୦୫ରେ ଉଭୟଙ୍କର ବିବାହ ହୋଇଥିଲା । ଟ୍ରମ୍ପଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଇଭାନୀ ମାରେ ଟ୍ରମ୍ପ । ୧୯୭୭ ରେ ଟ୍ରମ୍ପ ତାଙ୍କୁ ବିବାହ କରିଥିଲେ । ୧୯୯୨ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ଟ୍ରମ୍ପଙ୍କର ଦ୍ୱିତୀୟ ପତ୍ନୀ ହେଉଛନ୍ତି ମାରଲ ଆନ ମାପେଲ୍ସ । ୧୯୯୩ ରେ ଉଭୟଙ୍କର ବିବାହ ହୋଇଥିଲା ଓ ୧୯୯୯ ରେ ଛାଡ଼ପତ୍ର ହୋଇଥିଲା ।