ନୂଆଦିଲ୍ଲୀ : ତେଜସ୍ୱୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରି ଆର୍ଜେଡି କର୍ମୀମାନେ ପୋଷ୍ଟର୍ ଲଗାଇଛନ୍ତି। ଏକ୍ଜିଟ୍ ପୋଲ୍ ଫଳାଫଳ ଦ୍ୱାର ପ୍ରଭାବିତ ହୋଇ ତେଜସ୍ୱୀଙ୍କ ଜନ୍ମଦିନ ଅବସରରେ ‘ଆର୍ଜେଡି’ ସମର୍ଥକମାନେ ପାଟନାରେ ଏହି ପୋଷ୍ଟର୍ ସବୁ ଲଗାଇଛନ୍ତି । ଏହି ପୋଷ୍ଟର୍ରେ ଲେଖା ଅଛି କି ବିହାରର ସର୍ବକିନିଷ୍ଠ ଭାବି ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଜନ୍ମ ଦିନର ଶୁଭେଚ୍ଛା।

ଯଦି ୩୧ ବର୍ଷିୟ ତେଜସ୍ୱୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହୁଅନ୍ତି, ସେ ହେବେ ଦେଶରେ କୌଣସି ରାଜ୍ୟର ଶୀର୍ଷ ପଦବୀ ଅଳଙ୍କୃତ କରିଥିବା ସର୍ବ କନିଷ୍ଠ ବ୍ୟକ୍ତିବିଶେଷ। ୧୯୬୭ରେ ଏମ୍ଓଏଚ୍ ଫାରୁକ୍ ୨୯ ବର୍ଷ ବୟସରେ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୮ରେ ୩୨ ବର୍ଷ ବୟସରେ ସତୀଶପ୍ରସାଦ ସିଂହ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ରବିବାର ଦିନ ‘ଆର୍ଜେଡି’ କହିଥିଲା, ନଭେମ୍ବର ୧୦ ତାରିଖ ଦିନ ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି, ତାହାକୁ ପୂର୍ଣ୍ଣ ସଂଯମ, ନିରାଡମ୍ବର ଏବଂ ସମ୍ମାନର ସହ ଗ୍ରହଣ କରାଯିବା ଉଚିତ। ଆମର ପ୍ରତିଦ୍ବନ୍ଦ୍ବୀ କିଂବା ତାଙ୍କ ସମର୍ଥକମାନଙ୍କ ପ୍ରତି ଆତସବାଜି ପ୍ରଦର୍ଶନ, ଆନନ୍ଦସୂଚକ ଗୁଳି ଚାଳନା ଏବଂ ଅଶିଷ୍ଟ ଆଚରଣ ଭଳି ଅନୈତିକ କାର୍ଯ୍ୟ କୌଣସିମତେ ଗ୍ରହଣ କରାଯାଇ ପାରିବ ନାହିଁ।