ଶବଗଦାରୁ ଶବ କହିଲା, ‘ଭାଇ ମୁଁ ବଂଚିଛି’

ମିଛ ନୁହେଁ । ଉଦ୍ଧାରକାରୀ ଯାହାକୁ ମୃତ ମଣିଲେ ତାକୁ ଶବଗଦାରେ ରଖିଥିଲେ । ଦୁର୍ଘଟଣାର ଶିକାର ହୋଇ ଯୋଉମାନେ ଚେତା ହରାଇ ପଡ଼ିଥିଲେ, ସେଇମାନଙ୍କୁ ମୃତ ଭାବି ଶବଗଦାରେ ରଖାଯିବା ସ୍ୱାଭାବିକ । କିଛି ଅଚେତ ଲୋକ ଶବଚାପରେ ମରି ଯାଇଥିବେ ନିଶ୍ଚିତ । ମାତ୍ର ଜଣେ ଯୁବକ କୌଣସିମତେ ଜଣେ ଉଦ୍ଧାରକାରୀଙ୍କ ଗୋଡ଼କୁ ଧରି ପକାଇ ‘ଭାଇ ମୁଁ ବଂଚିଛି, ମୋତେ ରକ୍ଷା କର’ କହିଲେ ।

ଏଇଆ ହେଉଛି ବାହାନଗା ଟ୍ରେନ ଦୁର୍ଘଟଣାର ଭିନ୍ନ ଏକ ଚେହେରା । ବାହାନଗା ସ୍କୁଲ ଘରେ ରଖା ଯାଇଥିବା ଶବଗଦା ଭିତରୁ ଜଣେ ଯୁବକ କ୍ଷୀଣ କଣ୍ଠ ସ୍ୱର ଶୁଣିବାକୁ ପାଇଲେ ଜଣେ ଉଦ୍ଧାରକାରୀ । ‘ଭାଇ ମୁଁ ମରିନି, ବଂଚିଛି । ମତେ ଉଦ୍ଧାର କର ।’ ଉଦ୍ଧାରକାରୀ ଦଳର ଗୁରୁତର ଭୁଲ ସାମ୍ନାକୁ ଆସିଛି । ଡାକ୍ତରୀ ପରୀକ୍ଷା ବିନା ବହୁ ବେହୋସ ଲୋକଙ୍କୁ ମୃତ ମଣି ଏପରି ଭାବେ ଫିଙ୍ଗି ଦିଆଯାଇଛି ଯେ ତା’ ପ୍ରଭାବରେ କିଛି ବେହୋସ ଲୋକ ମରି ଯାଇଥିବା ଅଭିଯୋଗ କରାଯାଇଛି ।

ସୂଚନାରୁ ଜଣାପଡେ଼, ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲାର ଚାର୍ନେଖାଲି ଗ୍ରାମର ୩୫ ବର୍ଷୀୟ ରବିନ ସାଙ୍ଗମାନଙ୍କ ସହିତ କରମଣ୍ଡଳ ଚଢ଼ିଥିଲେ । ବାହାନଗା ନିକଟରେ ଦୁର୍ଘଟଣାର ଶିକାର ହୋଇ ସେ ଗୋଡ଼ ଦୁଇଟିକୁ ହରାଇବା ପରେ ଚେତା ହରାଇଥିଲେ । ଶୁକ୍ରବାର ରାତିରେ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିବା ପରେ ମୃତ ଭାବି ବିଦ୍ୟାଳୟର ଅସ୍ଥାୟୀ ଶବଗଦା ଭିତରେ ରଖି ଦେଇଥିଲେ । ପରଦିନ ଉଦ୍ଧାରକାରୀ ଦଳ ଅସ୍ଥାୟୀ ଶବଗଦାରୁ ମୃତଦେହ ଅଣ୍ଡାଳୁ ଥିଲାବେଳେ ରବିନ ଜଣେ ଉଦ୍ଧାରକାରୀଙ୍କ ଗୋଡ଼କୁ ଦୁଇହାତରେ ଧରି ପକାଇ ପିଇବାକୁ ପାଣି ମାଗିଥିଲେ । ଉଦ୍ଧାରକାରୀ ଜଣକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ରବିନ ଏବେ ମେଦିନିପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ରବିନ ହାଓଡାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲେ । ସେଠାରେ ଏକ କାରଖାନାରେ ଶ୍ରମିକ କାମ କରନ୍ତି । ତାଙ୍କର ଅନ୍ୟ ୬ ଜଣ ସାଙ୍ଗଙ୍କର କୌଣସି ଖୋଜଖବର ନାହିଁ ।