ଜୁଲାଇ ୧୦ ତାରିଖ ସୁଦ୍ଧା ହାଇକୋର୍ଟରେ ଜବାବ ଦାଖଲ କରିବେ ଓଡ଼ିଶା ସରକାର । କ୍ଷମତାସୀନ ବିଜେଡି ଅଭିଯୋଗ କରିଛି ଯେ ଦୀର୍ଘଦିନ ଧରି ରତ୍ନଭଣ୍ଡାର ଖୋଲାଯାଇନି ବୋଲି ଅଯଥା ପ୍ରଶ୍ନ ଉଠାଇ ବିଜେପି ମହାପ୍ରଭୁ ଜଗନ୍ନାଥଙ୍କୁ ରାଜନୈତିକ ପଶାପାଲିରେ ଗୋଟି ରୂପେ ବ୍ୟବହାର କରୁଛି ।
ଜଗନ୍ନାଥ ମନ୍ଦିର ଇତିହାସକୁ ତାଜା ରଖିଥିବା ପୁସ୍ତକ ‘ଜଗଦା ପଞ୍ଜି’ ୩୧ତମ ପୃଷ୍ଠାରେ ବର୍ଣ୍ଣିତ ତଥ୍ୟ ଅନୁସାରେ ରତ୍ନଭଣ୍ଡାରର ଦୁଇଟି କକ୍ଷ ରହିଛି । ପ୍ରଥମ କକ୍ଷରେ ବିଗ୍ରହଙ୍କ ସ୍ୱତନ୍ତ୍ର କାମରେ ବ୍ୟବହୃତ ବହୁ ମୂଲ୍ୟବାନ ସୁନାରୂପା ଗହଣା ରହିଛି । ମନ୍ଦିର ପ୍ରଶାସନ ନିକଟରେ ଉକ୍ତ କକ୍ଷର ଚାବି ରହିଛି । ଠାକୁରଙ୍କ ଗହଣାକୁ ବାଦ୍ ଦେଲେ ଭିତର କକ୍ଷରେ ଅନ୍ୟାନ୍ୟ ଦାମୀ ଦ୍ରବ୍ୟମାନ ରଖାଯାଇଛି ଯାହାର ଚାବି ହଜିଯାଇଛି । କୁହାଯାଏ, ଭିତର କକ୍ଷରେ କାହିଁ କେଉଁ ଅମଳରୁ ସର୍ବାଧିକ ସୁନାରୂପା ମହଜୁଦ ରହିଛି । ୧୯୭୮ ସୁଦ୍ଧା ଶ୍ରୀମନ୍ଦିରକୁ ଦୈନିକ ମିଳୁଥିବା ଦାନ ଅନୁଦାନର ରିପୋର୍ଟ ରହିଛି । ମାତ୍ର ତା’ ପରଠାରୁ ଶ୍ରୀମନ୍ଦିର ହୁଣ୍ଡିରେ ପଡୁଥିବା ସୁନାରୂପା ତଥା ଅନ୍ୟାନ୍ୟ ଗହଣାର କୌଣସି ଲିଖିତ ତଥ୍ୟ ନାହିଁ । ଏପରିକି ଏବେ ମଧ୍ୟ ଶ୍ରୀମନ୍ଦିର ହୁଣ୍ଡିରେ ପଡୁଥିବା ଟଙ୍କାର ହିସାବ ରହୁଛି, ମାତ୍ର ସୁନାରୂପା ପ୍ରଭୃତି ଦାମୀ ଅଳଙ୍କାରର ମୂଲ୍ୟ ଆକଳନ କରାଯାଉନି ।
ଶେଷଥର ପାଇଁ ୧୯୭୮ରେ ରତ୍ନଭଣ୍ଡାରରେ ମହଜୁଦ ସୁନାରୂପା ଓ ଗହଣାଗୁଡ଼ିକର ଯାଂଚ ପରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ତଦନୁସାରେ ରତ୍ନଭଣ୍ଡାରରେ ୧୫୦ କିଲୋ ସୁନା, ୨୫୮ କିଲୋ ରୂପା ରହିଥିଲା । ତା’ ସହିତ ସୁନାଗହଣା ଓ ସେଥିରେ ଖଚିତ ପଥର ଓଜନ ୧.୫୦ ଲକ୍ଷ ଗ୍ରାମ । ରୂପା ଅଳଙ୍କାର ଓ ସେଥିରେ ଖଚିତ ପଥର ୨.୫୦ ଲକ୍ଷ ଗ୍ରାମ । ତାହାର ୭ ବର୍ଷ ପରେ ୧୯୮୪ରେ ପୁଣି ଥରେ ରତ୍ନଭଣ୍ଡାର ଭିତର କକ୍ଷକୁ ଖୋଲା ଯାଇଥିଲା । କିନ୍ତୁ ସେଥର କୌଣସି ତଥ୍ୟ ପବ୍ଳିକ ଡୋମେନର ପ୍ରକାଶ ପାଇଲା ନାହିଁ । ତା’ ପରଠାରୁ ରତ୍ନଭଣ୍ଡାର ଭିତର କକ୍ଷ ଆଉ ଖୋଲାଯାଇନି ।
୨୦୧୮ ଏପ୍ରିଲ ୪ ତାରିଖରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରବନ୍ଧ କମିଟି ସମିତି ବୈଠକରେ ଜଣାପଡ଼ିଥିଲା ଯେ ରତ୍ନଭଣ୍ଡାରରେ ରହିଥିବା ଭିତର କକ୍ଷଟିର ଚାବି ହଜିଯାଇଛି । ଉକ୍ତ କଥାକୁ କେନ୍ଦ୍ର କରି ବୈଠକରେ ନାନା ମତ ଓ ଉଦ୍ବେଗ ପ୍ରକାଶ ପାଇଥିଲା । ତା’ର ଦୁଇମାସ ପରେ ଅର୍ଥାତ୍ ୨୦୧୮ ଜୁନରେ ଚାବି ହଜିଯାଇଥିବା ବିଷୟ ପବ୍ଲିକ୍ ଡୋମେନରେ ପ୍ରଘଟ ହୋଇଥିଲା । ୨୦୧୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ବିଷୟ ସେ ୨୦୧୮ ଜୁନରେ ଜାଣିବାକୁ ପାଇଥିଲେ ।
ଏହି ଖବର ସବୁ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ମୁତାବକ ଗଠିତ ୧୬ ଜଣିଆ ଟିମ ରତ୍ନଭଣ୍ଡାର ଯାଂଚ କରିବା ପାଇଁ ଭିତରକୁ ପ୍ରବେଶ କରିଥିଲା । ୪୦ ମିନିଟ୍ ଧରି ଯାଂଚ କରିବା ପରେ ଟିମ୍ ରତ୍ନଭଣ୍ଡାର ବାହାରକୁ ଆସିଲେ । ଟିମ୍ ରତ୍ନଭଣ୍ଡାର ଭିତର କକ୍ଷକୁ ଯିବା ପାଇଁ ଅନୁମତି ନମିଳିବାରୁ ହାଇକୋର୍ଟଙ୍କ ଟିମ୍ କେବର ବାହାର କକ୍ଷଟିକୁ ଯାଂଚ କରି ଫେରିଥିଲେ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରରେ ପ୍ରାୟ ସାତୋଟି ଗର୍ଭଗୃହ ରହିଛି । ତା’ ଭିତରୁ ମାତ୍ର ତିନୋଟି ଗର୍ଭଗୃହ ଯାଂଚ କରାଯାଇଛି । ସମୟ ଯେତିକି ଗଡୁଛି, ଲୋକଙ୍କ ମନରେ ସେତିକି ସନ୍ଦେହ ଜାଗ୍ରତ ହେଉଛି । ରତ୍ନଭଣ୍ଡାରରେ କ’ଣ ସବୁ ଗଚ୍ଛିତ ରହିଛି ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଏକ ଉକ୍ରଣ୍ଠା ବସା ବାନ୍ଧିଲାଣି ।