କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କି ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହୁଅନ୍ତୁ କି ଅପରାଜିତା ଷଡ଼ଙ୍ଗୀ । ସମସ୍ତଙ୍କ ଦୃଷ୍ଟି ମୁଖ୍ୟମନ୍ତ୍ରୀ ଚଉକି ଉପରେ । ୧୪୦ କୋଟି ଲୋକଙ୍କ ମୁଣ୍ଡରେ ୧୩୦ ଲକ୍ଷ କୋଟି ଟଙ୍କାର ଋଣବୋଝ ଲଦିଦେଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧର୍ମେନ୍ଦ୍ର ଗାଇ ବୁଲୁଛନ୍ତି କ’ଣ ନା ଭାରତୀୟଙ୍କ ସମ୍ମାନ ବଢ଼ିଛି । ମା’ ପେଟରେ ବଢୁଥିବା ଭ୍ରୁଣ ମୁଣ୍ଡରେ ୧ ଲକ୍ଷ ଟଙ୍କାର ଋଣବୋଝ ଲଦି ଦିଆଯାଇଛିି, ସେ ବିଷୟକୁ ଲୁଚାଇ ମୋଦିଙ୍କ ଗୁଣ ଗାଉଛନ୍ତି ଧର୍ମେନ୍ଦ୍ର ।
ବିଗତ ୯ ବର୍ଷ ଭିତରେ ବିଦେଶ ବ୍ୟାଙ୍କରୁ କେତେ କୋଟି କଳାଧନ ଦେଶକୁ ଅଣାଗଲା, ସେ ବିଷୟରେ କୌଣସି ତଥ୍ୟ ପ୍ରଦାନ ନକରି ଧର୍ମେନ୍ଦ୍ର ମୋଦି ଭାଗବତ ଶୁଣାଉଛନ୍ତି। ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ କରୁଛନ୍ତି । ମୋଦିଙ୍କୁ ଧୁଆମୁଗ କହୁଥିବା ଧର୍ମେନ୍ଦ୍ର ବିଜେପିର ମହାଦୁର୍ନୀତିକୁ ଲୁଚାଇଲେ କ’ଣ ହେବ, ତାହା ଦେଶବାସୀଙ୍କୁ ଜଳଜଳ ଦିଶୁଛି । ହାତଗଣତି ଶିଳ୍ପପତିଙ୍କ ପ୍ରତିନିଧି ସାଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କେନ୍ଦ୍ରରେ ନରେନ୍ଦ୍ର ଓ ରାଜ୍ୟରେ ନବୀନ ଗୋଟିଏ ମୁଦ୍ରାର ଦୁଇଟି ପାଖ । ଲୋକଙ୍କୁ ଲୁଟିବା ଦିଗରେ ଏକକୁ ଆରେକ ବଳି । କେହି କାହାଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ଅଦାନୀ ଓ ଅମ୍ବାନୀ ପରିବାରଙ୍କ ପକେଟରେ ଅଛନ୍ତି ନରେନ୍ଦ୍ର ମୋଦି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଗ୍ରୁପ ପକେଟରେ ଅଛନ୍ତି । ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ଜଳକା କରି ରଖିଛନ୍ତି ଉଭୟ ବିଜେପି ଓ ବିଜେଡି । ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ଦାୟୀ କରି ବିଜେଡି ତୁମ୍ବିତୋଫାନ କଲା । ମାତ୍ର ରନ୍ଧନ ଗ୍ୟାସ ଉପରୁ ରାଜ୍ୟ ତା’ର ଫାଇଦା ଛାଡ଼ିବାକୁ ନାରାଜ ।
ଜାତୀୟ ରାଜପଥ ନିର୍ମାଣ ଚାଲିଛି, ତା’ ସହିତ ମରାମତି ଆଳରେ କୋଟିକୋଟି ଟଙ୍କା ଲୁଟି ନିଆଯାଉଛି । ରାସ୍ତା ତିଆରି କରୁଥିବା ଠିକା ସଂସ୍ଥା ନିକଟରୁ କ୍ଷମତାସୀନ ବିଜେପି ବେଶ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛି ।
ଆମେ ନୁହେଁ, ଏଭଳି ମତାମତ ପ୍ରଦାନ କରିଛି ରାଷ୍ଟ୍ରୀୟ ପରିବର୍ତନ ଦଳ । ସେ କହିଛନ୍ତି, ବିଜେପି ଏକୁଟିଆ ବିଜେଡିକୁ ହରାଇ ରାଜ୍ୟରେ ସରକାର ଗଠନ କରିପାରିବନି । ବିଜେଡିକୁ ହରାଇବାକୁ ହେଲେ, ବିଜେପିକୁ ଛୋଟଛୋଟ ଦଳ ସହିତ ମେଂଟ କରିବାକୁ ହେବ । ବିଜେପି ପାଖରେ ୧୪୭ ବିଧାନସଭା ପ୍ରାର୍ଥୀ ଓ ୨୧ ଲୋକସଭା ପ୍ରାର୍ଥୀ ନାହାନ୍ତି, ତଥାପି ବିଜେଡିକୁ ପରାସ୍ତ କରିଦେବାର ଆସ୍ପାର୍ଦ୍ଧା କରିଛି ।
ରାଷ୍ଟ୍ରୀୟ ପରିବର୍ତନ ଦଳର ରଣନୀତି ସଂପର୍କରେ ପଚାରିବାରୁ ସୀତାରାମ କହିଲେ, ତାଙ୍କ ଦଳ ନିର୍ବାଚନରେ ଲଢ଼ିବା ସ୍ଥିତିରେ ନାହିଁ । ଦଳ ପାଖରେ ଲୋକବଳ ନାହିଁ କି ଟଙ୍କାବଳ ନାହିଁ । ବିଜେପିରେ ମାଳମାଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି ମାତ୍ର ବିଜେଡିରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ବିଜେପିରେ ସମସ୍ତେ ଏକଜୁଟ ବୋଲି ଅଭିନୟ କରୁଛନ୍ତି । ମାତ୍ର ବିଜେଡିରେ ସମସ୍ତେ ନବୀନବାବୁଙ୍କ ପାଳିତ କୁକୁର ପାଲଟି ଯାଇଛନ୍ତି ।