ଦାରୁଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ପାକିସ୍ତାନ ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର କଟକଣା ପ୍ରତ୍ୟାହାରକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଲୋକଙ୍କ ନିକଟରେ କାମ ଧନ୍ଦା ନଥିବାରୁ ଅଧିକାଂଶ ପରିବାର ଖାଡ଼ା ଉପାସ ରହୁଛନ୍ତି । ବଜାରରେ ଚାଉଳ, ଅଟା, ଡାଲି, ଖାଇବା ତେଲ ପ୍ରଭୃତି ନିତ୍ୟ ବ୍ୟବହୃତ ସାମଗ୍ରୀ ସମେତ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଫଳରେ ପବିତ୍ର ଇଦ୍ ଅବସରରେ ପାକ୍ ଜନତାଙ୍କ ମୁହଁରେ ହସ ନାହିଁ।
ଇଦ୍ ପାଳନ ପାଇଁ ଛେଳିମେଣ୍ଢା କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନଥିବାରୁ ପଶୁଚୋରି ବୃଦ୍ଧି ପାଉଛି। ଏଟିଏମ୍ ଫାଙ୍କା ରହୁଛି। ରାଜକୋଷରେ ଟଙ୍କା ନଥିବାରୁ ଲୋକଙ୍କ ମୁହଁରେ ଦାନା ଦେଇପାରୁନି ଶେହବାଜ ସରିଫ ସରକାର।
ରିପୋର୍ଟ ମୁତାବକ ଭୋକିଲା ଜନତା ଏବେ ଛୋଟଛୋଟ ଅପରାଧ କରୁଛନ୍ତି। ବିଗତ କିଛିମାସ ଭିତରେ ଦେଶରେ ପ୍ରାୟ ୩ ହଜାରରୁ ଅଧିକ ଡକାୟତି ହୋଇଛି, ଅନ୍ୟୁନ ୪୬ ଜଣ ଲୋକ ମରିଛନ୍ତି। ପେଟ ପାଇଁ ଲୋକମାନେ ପଶୁପାଳକଙ୍କ ଉପରେ ଆକ୍ରମଣ କରି ପଶୁଧନ ଲୁଟି ନେଉଛନ୍ତି। ରେଷ୍ଟୁରାଂଟ ମାଲିକ କିଣିଥିବା ପଶୁଗୁଡ଼ିକୁ ମଧ୍ୟ ଲୁଟି ନେଉଛନ୍ତି କ୍ଷୁଧାର୍ତ ଜନତା।
ଇଦ୍ ପାଳିବା ପାଇଁ ଲୋକମାନେ ଅପରାଧିକ କାର୍ଯ୍ୟକଳାପକୁ ଆଦରି ନେଇଛନ୍ତି । ଇଦ୍ ଅବସରରେ ପଶୁ ବିକି ହଜାର ହଜାର ଟଙ୍କା ରୋଜଗାର କରିବାର ଆଶା ଏବେ ପଶୁପାଳକଙ୍କ ପାଇଁ ସ୍ୱପ୍ନ ପାଲଟିଛି।