ଅଭିନେତା ଆସିଫ୍ ବସରାଙ୍କ ଆତ୍ମହତ୍ୟା

ମୁମ୍ବାଇ : ପୁଣି ଜଣେ ବଲିଉଡ ଅଭିନେତା ଆସିଫ ବସରା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଦିନ ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। କାଙ୍ଗଡା ଏସପି ବିମୁକ୍ତ ରଞ୍ଜନ ଏହା ସ୍ପଷ୍ଟ କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି। ଆସିଫ ବସରା ଗତ ୫ ବର୍ଷ ହେଲା ମ୍ୟାକ୍ଲେଡଗଞ୍ଜରେ ଏକ ଭଡା ଘରେ ରହୁଥିଲେ । ମ୍ୟାକ୍ଲେଡଗଞ୍ଜ ଲଣ୍ଡନର ଜଣେ ମହିଳାଙ୍କ ସହ ଲିଭ-ଇନରେ ରହୁଥିଲେ ବୋଲି କୁହାଯାଉଛି। ଗୁରୁବାର ଅପରାହ୍ନ ସମୟରେ ସେ ନିଜ ପୋଷା କୁକୁରକୁ ବୁଲେଇବାକୁ ନେଇଯାଇଥିଲେ। ଏହାପରେ ଘରକୁ ଫେରି ସେ ନିଜ ପୋଷା କୁକୁରର ବେଲ୍ଟ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେ ଡିପ୍ରେସନରେ ଥିଲେ। ।

ପରଜାନିୟା, ବ୍ଲାକ ଫ୍ରାଇଡେ ଭଳି ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ ହଲିଉଡ଼ ଫିଲ୍ମ ଆଉଟସୋର୍ସରେ ମଧ୍ୟ କାମ କରିଛନ୍ତି। ଇମ୍ରାନ ହାସମୀଙ୍କ ଫିଲ୍ମ ‘ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ’ରେ ସେ ଇମ୍ରାନ ହାସମୀଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ।