ପାଟନା: ବିହାର ରାଜନୀତିର ତାଜା ଖବର ଏବେ ନୀତୀଶ-ତେଜସ୍ୱୀ ଗୋଠଖଣ୍ଡିଆ । ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଅଧିକ ଆସନ ଦଖଲ କରିଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ଆସନ ପାଇ ନଥିବାରୁ ବିଜେପି ବଳରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ସରକାର ଗଠନ କଲେ । ମାତ୍ର ବିଜେପି କେଁ ନୀତୀଶଙ୍କୁ ଅଡୁଆ ଲାଗିବାରୁ ସେ ଆରଜେଡି ନେତା ତେଜସ୍ୱୀଙ୍କ ସହିତ ହାତ ମିଳାଇ ଆପଣା ମୁଖ୍ୟମନ୍ତ୍ରୀ ପଦଟିକୁ ବଜାୟ ରଖିପାରିଲେ ।
ଆଗାମୀ ବିଧାନସଭା ନିର୍ବାଚନରେ ଜେଡିୟୁ ଆହୁରି କମ୍ ଆସନ ପାଇବା ଆକଳନ କରିବା ପରେ ନୀତୀଶ ପୁଣି ବିଜେପି ଗୋଠକୁ ଆଦରିବା ପାଇଁ ଚିନ୍ତା କରୁଛନ୍ତି ।ଖାସ ସେଇଥିପାଇଁ ନିକଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ସେ ତେଜସ୍ୱୀଙ୍କୁ ଅଣଦେଖା କରିଛନ୍ତି । ଖବର ମୁତାବକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କର ଆଉ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଚୌଧୁରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି ।
ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଏକ ସ୍ୱାଭାବିକ ପ୍ରକ୍ରିୟା ଧରି ନିଆଯାଉଛି ।ମାତ୍ର ତାକୁ ହାଲୁକା ମଣିନାହାନ୍ତି ନୀତୀଶଙ୍କ ପାଖଲୋକ । ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତୀଶ ପ୍ରାୟ ୪୦ ମିନିଟ୍ କାଳ କଥା ହୋଇଛନ୍ତି ।