ଶେଯ ଉପରେ ୫୦୦ ଟଙ୍କିଆ ନୋଟ ବିଛାଇ ଶୋଉଛନ୍ତି ରାଜନେତା!
ଗୁଆହାଟୀ: କି ଭାଗ୍ୟ ନେଇ ଜନ୍ମ ହୋଇଛନ୍ତି ଆମ ରାଜନେତା? ଦେଶର ଅଧିକାଂଶ ପରିବାର ଦୁଇଓଳି ଦାନା ପାଉ ନ ଥିଲାବେଳେ ଆମ ରାଜନେତାମାନେ ଶେଯ ଉପରେ ୫୦୦ ଟଙ୍କିଆ ନୋଟ ବିଛାଇ ମହା ଆନନ୍ଦରେ ଶୋଇ ପାରୁଛନ୍ତି । ଗରିବ ଲୋକଙ୍କ ମନକୁ ଆଘାତ ଦେବା ପାଇଁ ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।
ସୂଚନା ମୁତାବକ ଆସାମର ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ ସଂଗଠନର ଜଣେ ସଭ୍ୟ ୫୦୦ ଟଙ୍କିଆ ଭିତରେ ଶୋଇ ରହିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆସାମ ରାଜନୀତି ସରଗରମ ହୋଇଛି ।
ସଂପୃକ୍ତ ନେତା ଜଣକ ହେଉଛନ୍ତି ବେଞ୍ଜାମିନ ବାସୁମାତାରୀ । ସେ ଆସାମର ଉଦାଲଗୁଡ଼ି ଜିଲ୍ଲା ଅନ୍ତର୍ଗତ ଭିଲେଜ କାଉନସିଲ୍ ଡେଭଲପମେଂଟ କମିଟି ଅଧ୍ୟକ୍ଷ ଭାବେ କାମ କରୁଛନ୍ତି ।
୫୦୦ ଟଙ୍କିଆ ବୁଦା ଭିତରୁ ବେଞ୍ଜାମିନଙ୍କ ଅଧା ଫୁଙ୍ଗୁଳା ଶରୀରଟି ଫୁଟି ଦିଶୁଥିଲା ।
ସଂପୃକ୍ତ ସଂଗଠନର ମୁଖ୍ୟ ପ୍ରମୋଦ ବୋଡେ଼ା କହିଛନ୍ତି ଯେ ବିବାଦୀୟ ବେଞ୍ଜାମିନଙ୍କୁ ଚଳିତ ବର୍ଷ ଫେବୃୟାରୀ ମାସରୁ ତାଙ୍କ ପଦବୀରୁ ବାହାର କରି ଦିଆଯାଇଛି ।